
ଭୁବନେଶ୍ୱର: ଆସନ୍ତା ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ବୁଧବାର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ପଞ୍ଚାୟତକୁ ସୁଦୃଢ କରିବାକୁ ମଙ୍ଗଳବାର ଏନେଇ ରାଜ୍ୟପାଳ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖରେ ସହଜରେ ଯୋଜନା ପହଞ୍ଚିବ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଏଥିପାଇଁ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ପରାମର୍ଶ ଦେଇଛନ୍ତି । ଏ ଦିଗରେ ଅନୁଧ୍ୟାନ କରିବାକୁ ରାଜ୍ୟପାଳ ସରକାରଙ୍କୁ କହିବା ସହ ପଞ୍ଚାୟତ ପରିସର ଓ ଲୋକସଂଖ୍ୟା କମ ରହିଲେ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ସହଜ ହୋଇପାରିବ ବୋଲି କହିଛନ୍ତି । ରାଜଭବନର ନୂଆ ଅଭିଷେକ ହଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କାର୍ୟ୍ୟାବଳୀର ସମୀକ୍ଷା କରି ସରକାରଙ୍କ ପ୍ରତ୍ୟେକ ପ୍ରକଳ୍ପର ନିର୍ମାଣ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଜଳ ଜୀବନ ମିସନ୍ ଯୋଜନାରେ ଗ୍ରାମୀଣ ଘରୋଇ ପାଇପ୍ ଜଳ ସଂଯୋଗ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ କାର୍ୟ୍ୟନିର୍ବାହୀ ସଂସ୍ଥା ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପଗୁଡ଼ିକର ନିର୍ମାଣ କାମର ମାନ, ସମୟରେ କାମ ଶେଷ ଓ ଦୀର୍ଘକାଳୀନ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାମ ଠିକ୍ ରୂପାୟନ ଜୀବନ ଧାରଣର ମାନରେ ଉନ୍ନତି ଆଣିପାରିବ ବୋଲି କହିଥିଲେ ରାଜ୍ୟପାଳ ।




