
ଭୁବନେଶ୍ବର: ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ପାଇଁ ଆଉ ଏକ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ସମସ୍ତ ହିତାଧିକାରୀମାନଙ୍କୁ ଟଙ୍କା ମିଳିବ। ସୁଭଦ୍ରା ପୋର୍ଟାଲ୍ରେ ମୃତ ହିତାଧିକାରୀ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ମିସନ ଶକ୍ତି ଭବନ ଠାରେ ‘ଦିବ୍ୟାଙ୍ଗ ଭଉଣୀଙ୍କ ସହ ବାର୍ତ୍ତାଳାପ’ କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଇ-କେୱାଇସି ଡାଟା ଏଣ୍ଟ୍ରିରେ ତ୍ରୁଟି ଯୋଗୁଁ କେତେକ ଜୀବିତ ହିତାଧିକାରୀଙ୍କୁ ମୃତ ଦର୍ଶାଯାଇଛି। ସେମାନଙ୍କୁ ଭୁଲ୍ରେ ମୃତ ଦର୍ଶାଯାଇଥିବାରୁ ଦ୍ୱିତୀୟ କିସ୍ତି ପାଇପାରି ନାହାନ୍ତି। ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯାଉଛି। ଅଗଷ୍ଟ ୧୫ ତାରିଖ ପରେ ଅଙ୍ଗନବାଡ଼ି କର୍ମୀମାନେ ଗାଁକୁ ଯାଇ ସର୍ଭେ କରିବେ। ସର୍ଭେ ରିପୋର୍ଟ ପୋର୍ଟାଲ ଗ୍ରୀଭାନ୍ସ ଅପଲୋଡ ହେବ। ଯାଞ୍ଚ ପରେ ହିତାଧିକାରୀମାନଙ୍କୁ ଦ୍ବିତୀୟ କିସ୍ତି ମିଳିବ। ପ୍ରଥମ କିସ୍ତି ପାଇଥିବା ସମସ୍ତ ଜୀବିତ ହିତାଧିକାରୀ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ। ଦ୍ବିତୀୟ କିସ୍ତି ପାଇଁ ଚିନ୍ତା କରିବାର କିଛି ନାହିଁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍ନ ୪ଟା ସମୟରେ ମିସନ ଶକ୍ତି ଭବନ ଠାରେ ‘ଦିବ୍ୟାଙ୍ଗ ଭଉଣୀଙ୍କ ସହ ବାର୍ତ୍ତାଳାପ’ କରିଥିଲେ। କାର୍ୟ୍ୟକ୍ରମରେ ପ୍ରଭାତୀ ପରିଡ଼ା ବିଶିଷ୍ଟ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ସମେତ ୨୫ ଜଣ ଦିବ୍ୟାଙ୍ଗ ଭଉଣୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।








