
ଭୁବନେଶ୍ୱର : ଖାଲି ସିଟ୍ ପାଇଁ ଆବେଦନ । ପ୍ରକାଶ ପାଇଲା +୨ର ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ସପ୍ତାହେ ଯାଏ ଛାତ୍ରଛାତ୍ରୀ କରିପାରିବେ ଆବେଦନ । ତେବେ ବିଜ୍ଞପ୍ତିରେ ପ୍ରକାଶିତ ନିର୍ଦ୍ଦେଶାନାମା ଅନୁସାରେ, ଆସନ୍ତା ୨୫ ତାରିଖରୁ ହେବ ଆବେଦନ । ଯାହା ୩୧ ଯାଏଁ ଚାଲିବ । ଏହାପରେ ସେପ୍ଟେମ୍ବର ୪ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଚୟନ ହୋଇଥିବା ପିଲାମାନେ ୬ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ପ୍ରଥମ ରାଉଣ୍ଡ ପରେ ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ କରିପାରିବେ । ଏଥିପାଇଁ ୧୨ ଓ ୧୩ ତାରିଖରେ ଆଶାୟୀମାନେ ଚଏସ୍ ଲକିଂ କରିପାରିବେ । ୧୭ ତାରିଖରେ ସ୍ପଟ ମେଧା ତାଲିକା ପ୍ରକାଶ ପାଇବା ସହ ୧୮ ଓ ୧୯ରେ ନାମଲେଖା ହେବ । ସେହିପରି ପ୍ରଥମ ପର୍ୟ୍ୟାୟରେ ଆବେଦନ କରିଥିବା ପିଲାମାନେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ହୋଇନଥିଲେ ପୁରୁଣା ଆଇଡି ପାସଓ୍ୱାର୍ଡ ବ୍ୟବହାର କରି ପୁନଃ ଆବେଦନ କରିପାରିବେ । ଏଥିପାଇଁ କୌଣସି ଫି ଦେବାକୁ ପଡିବନାହିଁ । ହେଲେ ପର୍ୟ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇ ନାମ ଲେଖାଇନଥିବା ପିଲାମାନେ ପୁଣି ଥରେ ନୂତନ ଭାବରେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଧାର୍ୟ୍ୟ ଫି’ ଦାଖଲ କରିବାକୁ ପଡିବ । ସେହିପରି ସାଧାରଣ ଆବେଦନ ଫର୍ମ (ସିଏଏଫ୍)କୁ ଚାରିଥର ପର୍ୟ୍ୟନ୍ତ ଏଡିଟ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।




