
ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉଭୟ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଏବେ ଫୁଲି ରହିଛି। ଅନ୍ୟପଟେ ଉପରମୁଣ୍ଡରେ ହୋଇଥିବା ବର୍ଷା ପାଇଁ ରାଜ୍ୟର ବଡ଼ ବଡ଼ ଡ୍ୟାମ୍ଗୁଡ଼ିକୁ ମଧ୍ୟ ପ୍ରଚୁର ଜଳ ପ୍ରବେଶ କରୁଛି। ଡ୍ୟାମ୍ର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ଅପରିହାର୍ୟ୍ୟ ହୋଇପଡ଼ିଥିବା ବେଳେ ଏହା ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହାରି ମଧ୍ୟରେ ୧୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପ୍ରଭାବ ବଢ଼ିପାରେ ବୋଲି ଆକଳନ କରାଯାଉଛି।ବର୍ତ୍ତମାନ ନଦୀ ଓ ଡ୍ୟାମ୍ଗୁଡ଼ିକରେ ଜଳ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ୭ ତାରିଖରେ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି ଓ ନଦୀରୁ ବନ୍ୟା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ସମୁଦ୍ର ପାଣି ଟାଣୁ ନ ଥିବାରୁ ବନ୍ୟା ଜଳ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି।ଶୁକ୍ରବାର ବୈତରଣୀ ନଦୀ ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ଏବେ ବି ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁର ଓ ଆରଡ଼ି ରାସ୍ତା ବିଛିନ୍ନ ହୋଇଥିବା ବେଳେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ ଆଦି ବ୍ଲକ୍ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳ ଭରି ରହିଛି। ଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବନ୍ୟା ବିପଦ ଜାରି ରହିଛି। ମହାନଦୀ ସ୍ଥିତି ଏବେ ସବୁଠୁ ଜଟିଳ ହୋଇଛି।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଅଧିକ ଗେଟ୍ ଖୋଲାଯାଇଛି। ଆସନ୍ତା ୭ ତାରିଖ ବେଳକୁ ମୁଣ୍ଡଳୀରେ ସାଢେ଼ ୪ ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପହଞ୍ଚିବ। ଏବେ ଜଳକାକୁ ଛାଡ଼ି ଦେଲେ ଅନ୍ୟ କୌଣସି ନଦୀ ଏବେ ବିପଦ ସଙ୍କେତ ଉପରେ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।



