
ଭୁବନେଶ୍ବର: ବିଶ୍ୱସ୍ତରୀୟ ହେବ ମା’ ସମଲେଶ୍ବରୀ ପୀଠ ବିକାଶ କାର୍ୟ୍ୟ । ପୀଠର ବିକାଶ କାର୍ୟ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି(ବୁଧବାର) ମା’ ସମଲେଶ୍ବରୀ ପୀଠ ବିକାଶ କାର୍ୟ୍ୟର ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଲୋକସେବା ଭବନରେ ଗତକାଲି(ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠର ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି । ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗ ହୋଇଛି । ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ୟ୍ୟାୟରେ କାର୍ୟ୍ୟକାରୀ ହେଉଛି । ପ୍ରଥମ ପର୍ୟ୍ୟାୟରେ ମନ୍ଦିର ଚତୁପାର୍ଶ୍ବର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ସହିତ ଅନ୍ୟାନ୍ୟ ଯାତ୍ରୀ ଓ ଦର୍ଶନାର୍ଥୀ ସୁବିଧା ଉପଲବ୍ଧ କରାଯାଇଛି । ଦ୍ବିତୀୟ ପର୍ୟ୍ୟାୟରେ ଭକ୍ତ ନିବାସ, ଲେକ୍ ଜୋନ, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଓ ପ୍ରବେଶ ପଥ ବିକଶିତ କରାଯିବ ।
ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠରେ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ମାନଙ୍କ ଭିଡ ଲାଗିରହିଥାଏ । ଏଥିସହିତ ସମ୍ବଲପୁର ଜିଲ୍ଲାର ମଧ୍ୟ ଓଡିଶା ପର୍ୟ୍ୟଟନ ମାନଚିତ୍ରରେ ପ୍ରସିଦ୍ଧି ରହିଛି । ସେଥିପାଇଁ ଦେଶବିଦେଶରୁ ପର୍ୟ୍ୟଟକମାନେ ବହୁ ସଂଖ୍ୟାରେ ଆସିଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ କାର୍ୟ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ନିର୍ମାଣ ହେବାକୁ ଥିବା ଭକ୍ତ ନିବାସରେ ଅଧିକ ସଂଖ୍ୟକ ଭକ୍ତଙ୍କ ରହଣି ସୁବିଧା ପାଇଁ ଆବଶ୍ୟକସ୍ଥଳେ ବହୁତଳ ବିଶିଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମନ୍ଦିର ବିକାଶ କାର୍ୟ୍ୟ ପାଇଁ ବିସ୍ଥାପିତ ହେଉଥିବା ବାସିନ୍ଦାଙ୍କ ଉପଯୁକ୍ତ ଥଇଥାନ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।








