ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶ ନିକଟରେ ଥିବାବେଳେ ଧୀରେ ଧୀରେ ଓଡିଶା ନିକଟବର୍ତ୍ତୀ ହେଉଛି । ଏହାର ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୩ ଦିନ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୨୨ ତାରିଖ ଆଡକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହେବାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି, ଏହି ସମ. ବେଳକୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରି ଯାଇଥିବାର ସମ୍ଭାବନା ରହିଛି । ତେଣୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ଲାଗି ପାଗ ସୁହାଇବ ।
ଅନ୍ୟପକ୍ଷେ, ଦେଶରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଗ ଅନୁକୂଳ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଆସନ୍ତା ୧୬ ତାରିଖ ସୁଦ୍ଧା ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇପାରେ । ଓଡିଶାରୁ ୧୪ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରି ଯିବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ପରେ ଦକ୍ଷିଣ ଉପଦ୍ୱୀପିୟ ଭାରତ, ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପୂର୍ବାଳୀ ଓ ଉତ୍ତରା-ପୂର୍ବାଳୀ ବାୟୁ ପ୍ରବେଶ କରିବ ।




