
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଶେଷ ହେବା ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି । ତାହା ହେଲା ନୂଆପଡ଼ାରେ ହେବ ମେଡିକାଲ କଲେଜ । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ନୂଆପଡ଼ାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଶ୍ରୀ ସାମଲ କହିଛନ୍ତି ।
ଆସନ୍ତା ୧୧ରେ ନୂଆପଡ଼ା ଉପନିର୍ବାଚନ । ସେଥିପାଇଁ ଆଜି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର । ଲାଗୁ ହେବ ନୀରବ ଅବଧି ବା ସାଇଲେନ୍ସ ପିରିୟଡ୍ । ତା’ ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର ପାଇଁ ବାହାରୁ ଯାଇଥିବା ସବୁ ଦଳର ନେତାକର୍ମୀ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଛାଡ଼ିବେ । ସବୁ କଲ୍ୟାଣ ମଣ୍ଡପ, ହୋଟେଲ, ଅତିଥି ନିବାସ ଯାଞ୍ଚ କରାଯିବ । ନୂଆପଡ଼ା ସୀମାରେ କଡ଼ାକଡ଼ି ଯାଞ୍ଚ ହେବ । କେବଳ ନିର୍ବାଚନ ପ୍ରଚାର ପ୍ରସାର ନୁହେଁ ନିର୍ବାଚନ ସମ୍ପର୍କିତ ମିଡିଆ କଭରେଜ୍, ସଭାସମିତିକୁ ମଧ୍ୟ ବାରଣ କରାଯାଇଛି । ଏସବୁ ନିୟମ ଉଲ୍ଲଂଘନକାରୀଙ୍କୁ ଦୁଇ ବର୍ଷ ପର୍ୟ୍ୟନ୍ତ ଜେଲ୍ଦଣ୍ଡ, ଜରିମାନା କିମ୍ୱା ଉଭୟ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୂଚନା ଦେଇଛନ୍ତି ।




