ନୂଆପଡ଼ା ପାଇଁ କିଛି କରିନାହାନ୍ତି ବୋଲି ହେଲିକପ୍ଟର ଦେଖାଇବାକୁ ପଡୁଛି: ଶ୍ରୀକାନ୍ତ

ନୂଆପଡ଼ା / ଭୁବନେଶ୍ୱର:- ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଲେ, ନୂଆପଡ଼ା ବାସୀ ଓ ରାଜ୍ୟ ରାଜନୀତି ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ । ଉପନିର୍ବାଚନରେ ସରକାରୀ ଅଫିସର ଏବଂ ବିଜେପି ଦଳର ସମ୍ପର୍କ ପଦାରେ ପଡ଼ିଛି। ସୁଭଦ୍ରା ମେଳା ଆୟୋଜନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହେଲା। ମେଳା ସରିବା ପରେ ଆଜି ପର୍ୟ୍ୟନ୍ତ ତ୍ୱରଣ ଏବଂ ସାଜସଜ୍ଜା ଅପସାରିତ କରି ନାହାନ୍ତି ।ଏହାକୁ ନେଇ କଂଗ୍ରେସ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ କରାଯାଇଥିଲା। କିନ୍ତୁ କାର୍ୟ୍ୟାନୁଷ୍ଠାନ ଶୁନ। ମେଳା ପାଖରେ ବିଜେପିର ନିର୍ବାଚନ କାର୍ୟ୍ୟାଳୟ । ଏବଂ ମେଳା ମଣ୍ଡପକୁ ବିଜେପି ଦଳ ଖୋଲାଖୋଲି ବ୍ୟବହାର କରୁଛି। ଏକ ନିର୍ଦ୍ଧିଷ୍ଟ ୱେବ୍ ଚ୍ୟାନେଲ ପିସିସି ସଭାପତି ଓ ତାଙ୍କ ବିଧାୟକ ପୁତ୍ରଙ୍କ ଚରିତ୍ର ସଂହାର କରୁଛି। ତେଣୁ କଂଗ୍ରେସ ପକ୍ଷରୁ ଏକ ଆଇନଜ୍ଞ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିଲା।କଂଗ୍ରେସର ୩୪ ସାଂଗଠାନିକ ଜିଲ୍ଲା ସଭାପତି ଶହ ଶହ କର୍ମକର୍ତ୍ତାଙ୍କ ସହିତ ସାଇବର ଥାନାକୁ ଯାଇ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ରାଜ୍ୟ ନିର୍ବାଚନ ଅଧିକାରୀ ସାମାନ୍ୟତମ ପଦକ୍ଷେପ ଗ୍ରହଣ କଲେନାହିଁ। ନିର୍ବାଚନ ଆଦର୍ଶ ଆଚରଣ ବିଧିର ଏପରି ଉଲଙ୍ଘନ କେବେ ଦେଖା ଯାଇ ନଥିଲା। ଏଥିରୁ ପ୍ରତୀତ ହେଉଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ବିଜେପି ଦଳ ସହିତ ମିଶି ନିର୍ବାଚନ ଲଢ଼ୁଛି। ନିର୍ବାଚନ ମୋଟେ ନିରପେକ୍ଷ ହେଉନାହିଁ। ତା ସତ୍ବେ ନୂଆପଡାରେ କଂଗ୍ରେସ ଅଧିକ ଲୋକପ୍ରିୟ, ଆଗୁଆ ଓ ସଂଗଠିତ। କଂଗ୍ରେସର ବରିଷ୍ଠ ନେତାଗଣ ଆସି ମିଳିତ ଭାବରେ ପ୍ରଚାର କାର୍ୟ୍ୟ କରୁଛନ୍ତି। ଦୁଃଖର କଥା, କଂଗ୍ରେସକୁ ସଭା, ସମିତି, ଶୋଭାଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେଉନାହିଁ। କିନ୍ତୁ ବିଜେଡି ଓ ବିଜେପି ପାଇଁ ପର୍ୟ୍ୟାପ୍ତ ସମୟ ଦିଆଯାଉଛି। ଯେତେ ପାତର ଅନ୍ତର ଓ ଆଚରଣ ବିଧି ଉଲଙ୍ଘନ କଲେ ମଧ୍ୟ ଏମାନଙ୍କ ଚକ୍ରାନ୍ତ କେବେ ସଫଳ ହେବନାହିଁ। ଘାସିରାମ ଜୟଯୁକ୍ତ ହେବେ ଏବଂ ସେ ହିଁ କେବଳ ନୂଆପଡ଼ାର ବିକାଶର କାର୍ୟ୍ୟ କରିବାକୁ ଯୋଗ୍ୟ ପ୍ରାର୍ଥୀ। କଂଗ୍ରେସକୁ ବିଜେପିର ଏତେ ଭୟ ଯେ ମୁଖ୍ୟମନ୍ତ୍ରୀ ତିନି ତିନି ଥର ନୂଆପଡ଼ା ଆସିଲେଣି।ଲୋକଙ୍କ ସମ୍ମୁଖରେ ତାଙ୍କୁ ଅପଶବ୍ଦ ବ୍ୟବହାର କରିବାକୁ ପଡୁଛି। ମୁଁ ନୂଆ ହେଲିକପ୍ଟର ଆଣିଛି ଆସ ଦେଖିବେ ବୋଲି ଅଶୋଭନୀୟ କଥା କହିବାକୁ ପଡୁଛି। ଶାସକ ଦଳ ଯାହା କରନ୍ତୁ କିନ୍ତୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିଜୟ ହେବ ଓ ନୂଆପଡ଼ାରେ ବିକାଶର ସୂର୍ୟ୍ୟ ଉଦୟ ହେବ ବୋଲି କଂଗ୍ରେସ କହୁନି, ନୂଆପଡାର ସାଧାରଣ ଜନତା କହୁଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ନିର୍ବାଚନ କମିଶନ କିଭଳି ବିଜେପିକୁ ଭୋଟ ଚୋରିରେ ସାହାଯ୍ୟ କରୁଛି ତାହା ଆମ ନେତା ରାହୁଲ ଗାନ୍ଧୀ ସର୍ବଭାରତୀୟ ସ୍ତରରେ ପ୍ରମାଣିତ କରି ସାରିଲେଣି। ଯାହା ଭାରତ ନିର୍ବାଚନ ଆୟୋଗ କରୁଛନ୍ତି ତାହା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କରୁଛନ୍ତି। ତେଣୁ ନୂଆପଡ଼ା ଉପନିର୍ବାଚନରେ ନିର୍ବାଚନ ଅଧିକାରୀ ସମ୍ପୂର୍ଣ ରୂପେ ଏକପାଖିଆ କାର୍ୟ୍ୟ କରୁଛନ୍ତି। ବିଜେପିର କୋଟି କୋଟି ଟଙ୍କାର ଖେଳ ଚାଲିଛି। କିନ୍ତୁ ପ୍ରଶାସନ ଆଖି ବୁଜି ଦେଇଛି। ତେବେ ୨୫ ବର୍ଷ ଧରି ଅବହେଳିତ ନୂଆପଡ଼ା ବାସୀ ପଇସାରେ ବିକ୍ରି ହେବେ ନାହିଁ। ଲୋକେ କହୁଛନ୍ତି ତାଙ୍କଠୁଁ ଖାଇବୁ କିନ୍ତୁ ଘାସିରାମକୁ ଭୋଟ ଦେଇ ଜିତେଇବୁ। ନୂଆପଡାରେ ଯାହା ବି ବିକାଶର ଚିତ୍ର ଦେଖୁଛନ୍ତି ତାହା କଂଗ୍ରେସ ଓ ଭକ୍ତ ଦାସଙ୍କ ସମୟରେ ହୋଇଛି। ବିଜେପି ଓ ବିଜେଡ଼ି ଚିନ୍ତା କରୁଛନ୍ତି ଟଙ୍କା ଖର୍ଚ୍ଚ କରିବୁ ଏବଂ ନିର୍ବାଚନ ଜିତିଯିବୁ। କିନ୍ତୁ ସାଧାରଣ ଜନତା ଏହାକୁ କେବେ ସଫଳ ହେବାକୁ ଦେବେ ନାହିଁ। ନୂଆପଡ଼ା ପାଇଁ କାର୍ୟ୍ୟ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟର ଦେଖାଇବାକୁ ପଡୁଛି। ଏବଂ ଅନ୍ୟଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅତି ଦୟନୀୟ ଅବସ୍ଥାରେ ପ୍ରଚାର ପାଇଁ ଅଣାଯାଉଛି। କିଏ କେତେ ବିକାଶ କରିଥିଲେ ଆମେ ସମସ୍ତଙ୍କୁ ଗୋଟିଏ ମଞ୍ଚକୁ ଆସି ଆଲୋଚନା ପାଇଁ ଆହ୍ଵାନ ଦେଇଥିଲୁ। କିନ୍ତୁ ସେମାନେ ଆସିଲେ ନାହିଁ। ଯେହେତୁ କିଛି କରିନାହାନ୍ତି ତେଣୁ ସମ୍ମୁଖୀନ ହେବାକୁ ବିଜେଡି ଓ ବିଜେପିର ସତସାହସ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ବାବୁ ଯେହେତୁ କିଛି କାର୍ୟ୍ୟ କରିନାହାନ୍ତି ତେଣୁ ନିର୍ବାଚନ ଅବଧି ୬ ମାସ ଘୁଂଚେଇ ଦେବାପାଇଁ ବିଜେପି ନେତୃବୃନ୍ଦଙ୍କୁ ଦିଲ୍ଲୀ ଯାଇ ଅନୁରୋଧ କରିଥିଲେ। କିନ୍ତୁ ନେତୃବୃନ୍ଦ ଅଭୟ ବାଣୀ ଦେଇଥିଲେ ଚିନ୍ତା କରନା ବିଜେଡି ସହିତ ବୁଝାମଣା କରିନେବା ଏବଂ ତମେ ଜିତିବ। ସେଇ ଅନୁଯାୟୀ ବିଜେଡି ପ୍ରାର୍ଥୀ ବିଜେପିକୁ ଗଲା ଏବଂ କଂଗ୍ରେସ ଭୋଟ କାଟିବା ପାଇଁ ବିଜେଡି ଜିଲ୍ଲା ବାହାରୁ ପ୍ରାର୍ଥୀ ଆଣିଲା। କିନ୍ତୁ ନୂଆପଡ଼ା ବାସୀ ନିଷ୍ପତ୍ତି ନେଇ ସାରିଛନ୍ତି ମାଟିର ପୁଅ ଘାସିରାମ ବିଧାୟକ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଲଲୋଟେନ୍ଦୁ ମହାପାତ୍ର, ନୂଆପଡ଼ା ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ବିନୋଦ ପାତ୍ର ଏବଂ ମୂରଲୀ ନାୟକ ଉପସ୍ଥିତ ଥିଲେ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ