
ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବାଇ ମେଟ୍ରୋ ସହର ଭଳି ଓଡ଼ିଶାରେ ଗଡ଼଼ିବ ଦୁଇଥାକିଆ(ଡବଲ ଡେକର୍) ବସ୍। ଏଥିପାଇଁ କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ଟେଣ୍ଡର୍ ଆହ୍ୱାନ କରାଯାଇଛି। ପ୍ରାଥମିକ ପର୍ୟ୍ୟାୟରେ ଏହି ବସ୍ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ଚଳାଚଳ କରିବ। ପରବର୍ତ୍ତୀ ପର୍ୟ୍ୟାୟରେ ଓଡ଼ିଶାରେ ଅନ୍ୟ ଜିଲ୍ଲାରେ ଗଡ଼ିବା ନେଇ ଯୋଜନା ରହିଛି। ସହରରେ ବଢ଼଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ବସ୍ ଗୁଡ଼ିକ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଚାଳିତ (ଇ-ବସ୍) ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ପ୍ରାଥମିକ ପର୍ୟ୍ୟାୟରେ ୫ଟି ଡବଲ ଡେକର୍ ବସ ଚଲେଇବା ପାଇଁ ଯୋଜନା ରହିଛି। ଡବଲ୍ ଏଥିପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ଯୋଗାଣ, ପରିଚାଳନା, ରକ୍ଷଣବେକ୍ଷଣା ଓ କର୍ମଚାରୀ ସମ୍ପୃକ୍ତ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଆହୁରି ୨ ବର୍ଷ ଚୁକ୍ତିର ସମୟସୀମା ବୃଦ୍ଧି କରାଯିବ। ରାଜ୍ୟରେ ପର୍ୟ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ପର୍ୟ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବସ୍ ଚଳାଚଳ କରାଯାଉଥିବା ଟେଣ୍ଡରରେ ଉଲ୍ଲେଖ ରହିଛି।
ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କଟକ-ଭୁବନେଶ୍ୱର ଓ ଭୁବନେଶ୍ୱର-ପୁରୀ ମଧ୍ୟରେ ପ୍ରାଥମିକ ପର୍ୟ୍ୟାୟରେ ୫ଟି ବସ୍ ଚଳାଚଳ କରିବ। ଏହା ସଫଳତାର ସହ ଚାଲିଲେ, ଆଗାମୀ ଦିନରେ ସଂଖ୍ୟା ବୃଦ୍ଧି କରାଯିବ। ଆସନ୍ତା ଜାନୁଆରୀ ୯ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ଏହି ବସ୍ ଚଳାଚଳ କରିବ। ପ୍ରବାସୀ ଭାରତୀୟମାନେ ଏହି ବସ୍ରେ ଯାତାୟାତ କରିବ। ଏହାଦ୍ୱାରା ଜାତୀୟସ୍ତରରେ ଓଡ଼ିଶାର ଟେକ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଏଭଳି ବସ୍ ଓଡ଼ିଶାରେ ଚଳାଚଳ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବସ୍ ଚଳାଚଳ ପୂର୍ବରୁ ଗ୍ରାଉଣ୍ଡରେ କିଭଳି କାର୍ୟ୍ୟକାରୀ କରାଯିବ, ତା’ଉପରେ ଅନୁଧ୍ୟାନ କରାଯିବ ଜରୁରୀ। ସେହିଭଳି ଟ୍ରାଫିକ୍ ସର୍ଭେ କରି କେତେ ବସ୍ ଆବଶ୍ୟକତା ରହିଛି ଏହାର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ତା’ପରେ ଯୋଜନା କଲେ ଏହା ସଫଳ ହୋଇପାରିବ।




