
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତି ନିର୍ଘଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଓ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ। ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ। ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହିବେ। ବଡ଼କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ। ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭିତର ଭଣ୍ଡାର ମରାମତି ହେବ। ଏଥିପାଇଁ ପ୍ରଥମେ ଭାରାବନ୍ଧା କାମ ହେବ। ଏହାପରେ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ। ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତା’ର ମରାମତି ହେବ। ପଥର ପ୍ରଭାବିତ ହୋଇଥିଲେ, ରିପ୍ଲେସ୍ କରାଯିବ। ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ଡିପ୍ଲାଷ୍ଟରିଂ କରାଯାଇ ମରାମତି କରାଯିବ। ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନରିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।








