
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି । ବିଶେଷ କରି ବିଜେଡି ବିଧାୟକଙ୍କ ମତିଗତି ଉପରେ ସମସ୍ତଙ୍କ ନଜର ରହିଛି । କ୍ଷମତାରୁ ଯିବା ପରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥିବା ବିଜେଡି ସଭାପତିଙ୍କ ଲାଗି ରାଜ୍ୟସଭା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିର୍ବାଚନକୁ ମାତ୍ର ୪ ଦିନ ଥିବାବେଳେ ବିଧାୟକଙ୍କ ଲାଗି ତାଲିମ ବ୍ୟବସ୍ଥା କରିଛନ୍ତି ବିଜେଡି ସଭାପତି । ସେପଟେ ବିଜେପିର ଘୋଡ଼ା ବେପାରରେ ବିଧାୟକ ପ୍ରଭାବିତ ହେବେନାହିଁ ବୋଲି ବିଜେଡି ଦାବି କରିଛି ।
ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ କହିଛନ୍ତି, “ବିଜେଡି ଗୋଟେ ଶୃଙ୍ଖଳିତ ଦଳ । ଆମର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ । ବିଜେଡି ସଭାପତି ଯେତେବେଳେ ଯାହା ନିର୍ଦ୍ଦେଶ ଦେଇଛନ୍ତି, ଆମେ ସମସ୍ତେ ମାନୁଛୁ । ନବୀନ ନିବାସରେ ବୈଠକ ହେବ । ଆମର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ବିଜେଡିରେ ଆଦୌ କିଛି ଏପଟ ସେପଟ ହେବନାହିଁ । ବିଜେପି ଯେତେ ଘୋଡ଼ା ବେପାର କରିବା ପାଇଁ ଚେଷ୍ଟା କଲେ ମଧ୍ୟ ସଫଳ ହେବେନାହିଁ ।”




