
ଭୁବନେଶ୍ୱର: କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଧାସ କ୍ରସ ଭୋଟିଂ କରିଛନ୍ତି । ବିଜେଡି ସହ କଂଗ୍ରେସର ବୁଝାମଣା ସମ୍ପର୍କୀତ ଦଳୀୟ ନିଷ୍ପତ୍ତିକୁ ନେଇ ପୂର୍ବରୁ ସୋଫିଆ ନିଜର ଅସନ୍ତୋଷ ଝାଡ଼ିଥିଲେ । ମିଳିତ ପ୍ରାର୍ଥୀ ଡ.ଦତ୍ତେଶ୍ୱର ହୋତାଙ୍କୁ ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ । ବିଜେଡି ଓ କଂଗ୍ରେସ ମୁଖିଆ ତାଙ୍କ ନାମ ଏକାଠି ଘୋଷଣା କରିଥିଲେ କଂଗ୍ରେସର ଇଜ୍ଜତ ରହିଯାଇଥାନ୍ତା ବୋଲି ସେ କହିଥିଲେ ।
ଦଳର ଦୁଇ ପ୍ରଭାବଶାଳୀ ବିଧାୟକ ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା ଦଳୀୟ ହୁଇପ୍କୁ ଅମାନ୍ୟ କରି କ୍ରସ୍-ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚହଳ ପଡ଼ିଯାଇଛି । ବିଶେଷ କରି ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ରୋଚକ ମନ୍ତବ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।ସେ କହିଛନ୍ତି, ପାହାଡ ଉପରେ ଥିଲି। ମୋ ମୋବାଇଲରେ ନେଟୱର୍କ ନଥିଲା। ପିସିସ ସଭାପତି ଯାହାକୁ କହିଲେ ତାଙ୍କୁ ଦେଲି। ଗତ କିଛି ଦିନ ହେବ ଦାଶରଥୀଙ୍କ ପତ୍ତା ମିଳୁନଥିଲା। ଦଳ ଉପରେ ଦଳ ନୋଟିସ୍ ଜାରି କରୁଥିଲେ ମଧ୍ୟ ସେ ପାର୍ଟି ଅଫିସ୍ ଆସିନଥିଲେ। ହେଲେ ଆଜି ସିଧା ବିଧାନସଭାରେ ପହଞ୍ଚି ଭୋଟ୍ ଦେଇଛନ୍ତି ଦାଶରଥୀ। ଅନ୍ୟପଟେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ ସସପେନ୍ସ ବଢ଼ାଇଛନ୍ତି। ସେ ଭୋଟ୍ ତ ଦେଲେ, ହେଲେ କାହାକୁ ଦେଲେ ସେ କଥା ସ୍ପଷ୍ଟ କଲେନି। ଦଳୀୟ ହ୍ୱିପ୍ ମାନିଛନ୍ତି ନା କ୍ରସ୍ ଭୋଟିଂ କରିଛନ୍ତି, ତାକୁ ନେଇ ଏବେ କଂଗ୍ରେସ ଶିବିରରେ ଛନକା ପଶିଛି।
କଂଗ୍ରେସର ନିର୍ବାଚନ ଏଜେଣ୍ଟ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଏହି କ୍ରସ୍-ଭୋଟିଂ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଭକ୍ତ ଦାସ ଅଭିଯୋଗ କରିଛନ୍ତି ଯେ, ଦାଶରଥି ଗମାଙ୍ଗ ଓ ରମେଶ ଜେନା ଦଳୀୟ ଆଦେଶ ବା ‘ହୁଇପ୍’କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି । ସେମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟତ୍ର ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି । ଦଳୀୟ ଅନୁଶାସନ ଭଙ୍ଗ କରାଯାଇଛି, ତେଣୁ ଏହି ଭୋଟ୍କୁ ରଦ୍ଦ କରାଯାଉ କିମ୍ବା ଆମ ଅଭିଯୋଗକୁ ଗ୍ରହଣ କରି ଉଚିତ୍ ବିଚାର କରାଯାଉ ।




