ଦ୍ବନ୍ଦ୍ବରେ ୧୧ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀ: କାହାର ହେବେ

ଭୁବନେଶ୍ବର: ରାଜ୍ୟସଭା କ୍ରସ୍ ଭୋଟିଂ ପରେ ବିଜେଡି ଓ କଂଗ୍ରେସରେ ଅସ୍ଥିରତା ଭୀଷଣ ହେଉଛି। ଉଭୟ ଦଳର ନେତୃତ୍ବ ଖୋଲା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏପଟେ କ୍ରସ୍‌ ଭୋଟିଂ କରିଥିବା ବିଧାୟକମାନଙ୍କ ଉପରେ ଶାସକ ଦଳର ଶୁଭଦୃଷ୍ଟି। ଏମିତି କିଛି ପରିବର୍ତ୍ତନର ପ୍ରଭାବ ତୃଣମୂଳସ୍ତରରେ ରାଜନୀତି ଗଣିତ ବିଗାଡ଼ିଲାଣି। ଟିକେ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ୧୧ ନିର୍ବାଚନମଣ୍ଡଳୀରେ ନେତା ଓ କର୍ମୀ ଦ୍ବନ୍ଦ୍ବରେ। ସେମାନେ କାହାର ହେବେ, ସେ ନେଇ କୌଣସି ସ୍ପଷ୍ଟ ସଙ୍କେତ ପାଇପାରୁ ନାହାନ୍ତି। ୨୦୨୪ରେ ଯେଉଁସବୁ ନିର୍ବାଚନମଣ୍ଡଳୀରେ ବିଜେପି ହାରିଥିଲା, ସେଠାରେ ପରାଜିତ ପ୍ରାର୍ଥୀଙ୍କୁ ହିଁ ଦଳ ପକ୍ଷରୁ ଅଘୋଷିତ ବିଧାୟକ କରିଦିଆଯାଇଛି। ସେମାନେ ବିଭିନ୍ନ ସରକାରୀ କାର୍ୟ୍ୟରେ ଖୋଜା ପଡ଼ୁଛନ୍ତି। ଅଳ୍ପ କିଛି ନିର୍ବାଚନମଣ୍ଡଳୀରେ ଶାସକ ଦଳରେ ଛକାପଞ୍ଝା ରହିଛି। ପରାଜିତ ପ୍ରାର୍ଥୀଙ୍କ ସହ ଶାସକ ଦଳର କିଛି ଛାମୁଆ ନେତା ଆଗକୁ ଆସି ଦବଦବା ଜାହିର କରୁଛନ୍ତି।
ଏମିତି ଗୋଟିଏ ପରିସ୍ଥିତିରେ ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ଜଣ ଏବଂ କଂଗ୍ରେସର ୩ ଜଣ ବିଧାୟକ ଦଳର ନିଷ୍ପତ୍ତିକୁ ଅମାନ୍ୟ କଲେ। ସେମାନେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଲେ। ୧୧ ବିରୋଧୀ ବିଧାୟକଙ୍କ ହାତଖୋଲା ସମର୍ଥନ ପରେ ପ୍ରତିନିଧିତ୍ବ କରୁଥିବା ଆସନରେ ଏବେ ସେମାନଙ୍କ ପ୍ରଭାବ ପୂର୍ବାପେକ୍ଷା ବଢ଼ିଛି। ଏମିତି ଯେ ଯେତେବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କର ‘ଆପରାଧିକ ପୃଷ୍ଠଭୂମି’ ଅଛି ବୋଲି ଆରୋପ ଲଗାଇଲେ, ଏହାର କିଛି ସମୟ ପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିଁ ବିରୋଧୀ ଦଳର ବିଧାୟକମାନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ‘ବିଧାୟକମାନଙ୍କୁ ଅପରାଧୀ କହିବା ଅର୍ଥ ହେଉଛି, ସେମାନଙ୍କୁ ନିର୍ବାଚିତ କରିଥିବା ହଜାର ହଜାର ଭୋଟରଙ୍କୁ ଅପମାନିତ କରିବା’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉପର ସ୍ତରରେ ଏହି ବୁଝାମଣା ଏବେ ତଳ ସ୍ତରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲାଣି। ରାଜ୍ୟସଭା ନିର୍ବାଚନରେ ବିରୋଧୀ ଦଳର ଏହି ବିଧାୟକଙ୍କ ଆଭିମୁଖ୍ୟକୁ ସ୍ବାଗତ କରିବାକୁ ସ୍ଥାନୀୟ ନେତାଙ୍କ ଉପରେ ଅଲିଖିତ ନିର୍ଦ୍ଦେଶ ଜାରି ହୋଇଛି। ସେଥି ପାଇଁ କେହି ପାଟି ଫିଟାଉ ନାହାନ୍ତି। କିନ୍ତୁ ଅସନ୍ତୋଷ କୁହୁଳିବା ସହ ନିଜ ଭବିଷ୍ୟତକୁ ନେଇ ନେତାମାନେ ସନ୍ଦିହାନ ହୋଇପଡ଼ିଲେଣି। ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ପରେ ସେଠାରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଖୋଦ୍ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାକୁ ନେଇ ଖୁସି ନଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠୁଛି ଯେ ଶ୍ରୀ ଜେନା ଓ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ସ୍ଥାନୀୟ ବିଜେପି ନେତା ଗ୍ରହଣ କରିବେ ତ?
ସରକାରଙ୍କ ଶୁଭ ଦୃଷ୍ଟିରେ ବିରୋଧୀ ବିଧାୟକ
ଚୌଦ୍ବାର-କଟକରେ ସୌଭିକ ବିଶ୍ବାଳ ବିଜୟୀ ହୋଇଥିଲେ ବି ଶାସନରେ ପରାଜିତ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ବେଶ୍ ଗୁରୁତ୍ବ ପାଉଥିଲେ। ଏବେ ନୟନ ଓ ତାଙ୍କ ସମର୍ଥକମାନେ ଅଡ଼ୁଆରେ। ସମାନ ସ୍ଥିତି ବାଙ୍କୀରେ। ସେଠାରେ ପରାଜିତ ପ୍ରାର୍ଥୀ ତୁଷାର ଚକ୍ରବର୍ତ୍ତୀ ଓ ବିଜେପିର ଆଉ ଜଣେ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ସକ୍ରିୟ ଅଛନ୍ତି। ଏବେ ବିଧାୟକ ଦେବୀ ତ୍ରିପାଠୀ ସମ୍ପୂର୍ଣ୍ଣ ସରକାରଙ୍କ ଛତ୍ରଛାୟା ତଳେ ରହିଥିବା କାରଣରୁ ଏହି ଦୁଇ ନେତା ଓ ଦଳର ମୂଳ ସଂଗଠନର କର୍ମୀମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ତେବେ ବାରବାଟୀ-କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ବି ସ୍ଥାନୀୟ ବିଜେପି ସଂଗଠନରେ ବଡ଼ଧରଣର ଅସନ୍ତୋଷ ପଦାକୁ ଆସିନି। ଏଠାରେ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିର୍ବାଚନ ପରେ ରାଜନୀତିରେ ସକ୍ରିୟ ନାହାନ୍ତି। ସମୀର ଦେଙ୍କ ଦେହାନ୍ତ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତାଙ୍କୁ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇ ନାହିଁ। ତିର୍ତ୍ତୋଲରେ ମଧ୍ୟ ବିଜେପି ଭିତରେ ସନ୍ଦେହ ସୃଷ୍ଟି ହେଲାଣି। ବିଜେପିର ପରାଜିତ ପ୍ରାର୍ଥୀ ରାଜକିଶୋର ବେହେରା ଓ ଆଉ ଜଣେ ନେତା ସୁବୋଧ ବାରିକ ସକ୍ରିୟ ଅଛନ୍ତି। ଏବେ ରମାକାନ୍ତ ବିଜେପିର ଅଭୟ ପାଇ ଆଗକୁ ମାଡ଼ିଯାଇପାରନ୍ତି। ଏମିତିରେ ରମାକାନ୍ତ ପୂର୍ବରୁ ବିଜେପିରେ ଥିଲେ। ଯଦି ସେ ବିଜେପିର ମଙ୍ଗ ଧରନ୍ତି, ତେବେ ଏହି ନେତାମାନେ କ’ଣ କରିବେ?
ପାଟକୁରାରେ ବିଜେପିର ପରାଜିତ ପ୍ରାର୍ଥୀ ତେଜେଶ୍ବର ପରିଡ଼ା ଓ ଯୁବ ନେତା ଉମାକାନ୍ତ ପଟ୍ଟନାୟକ ସାଂଗଠନିକ କାର୍ୟ୍ୟ ଜୋର କରୁଛନ୍ତି। ଏବେ ବିଧାୟକ ଅରବିନ୍ଦ ମହାପାତ୍ର ସରକାରଙ୍କ ପ୍ରୋତ୍ସାହନ ପାଇ ଆଗକୁ ବଢ଼ିବେ। ଫଳରେ ତେଜେଶ୍ବର ଓ ଉମାକାନ୍ତ କେତେ ଗୁରୁତ୍ବ ପାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜୟଦେବ ନିର୍ବାଚନମଣ୍ଡଳୀରେ ବି ସମାନ ସ୍ଥିତି। ବିଧାୟକ ନବକିଶୋର ମଲ୍ଲିକଙ୍କର ନିଜସ୍ବ ଦବଦବା ନାହିଁ। ବିଜେଡିର ଆଉ ଜଣେ ନେତାଙ୍କ ଦ୍ବାରା ମନୋନୀତ ହୋଇ ସେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନ ପରେ ଏଠାରେ ପରାଜିତ ପ୍ରାର୍ଥୀ ଅରବିନ୍ଦ ଢାଲି ସକ୍ରିୟ ଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜେ ଏଠାରେ ସଂଗଠନ ବୁଝୁଛନ୍ତି। ଏଠାରେ ନବଙ୍କୁ ପ୍ରାର୍ଥୀ କରିଥିବା ନେତାମାନଙ୍କୁ ବିଜେପି କୋଳେଇ ନେବ କି ନାହିଁ, ତାହାକୁ ନେଇ ଅଙ୍କକଷା ଚାଲିଛି।
ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର ଏବେ ବିଜେପିର ଶୁଭ ଦୃଷ୍ଟିରେ ଅଛନ୍ତି। ସେ ବିଜେପି ଆଡ଼କୁ ଢଳିଲେ ବି ସ୍ଥାନୀୟ ବିଜେପି ସଂଗଠନରେ ବଡ଼ ଧରଣର ଅସନ୍ତୋଷ ଆରମ୍ଭ ହୋଇ ନାହିଁ। ବିଜେପିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ପରେ ସେଠାରେ କୌଣସି ଆଗଧାଡ଼ିର ନେତା ନେତୃତ୍ବ ନେବାକୁ ଆଗେଇ ଆସି ନାହାନ୍ତି। ସାନଖେମୁଣ୍ଡିରେ ବି ସମାନ ସ୍ଥିତି। ଏଠାରେ ବିଜେପିର କୌଣସି ନେତା ସେତେଟା ସକ୍ରିୟ ନାହାନ୍ତି। ତେଣୁ ରମେଶଙ୍କୁ ନେଇ ବିଜେପି ସଂଗଠନରେ ସେପରି କିଛି ପ୍ରତିକ୍ରିୟା ଏଯାଏଁ ଦେଖିବାକୁ ମିଳିନି। ମୋହନାରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗୋଙ୍କ ଭବିଷ୍ୟତକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ଏଠାରେ ବିଜେପିର ପରାଜିତ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ବେଶ୍ ସକ୍ରିୟ ଅଛନ୍ତି। ବିଜେପି ସଂଗଠନକୁ ସଜାଡ଼ିବାକୁ ସେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଦାଶରଥିଙ୍କୁ ବିଜେପିର ତୃଣମୂଳ ସ୍ତରର କର୍ମାମାନେ ଗ୍ରହଣ କରିବା ସହଜ ହେବନି।

  • Related Posts

    ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ:ବିଜୟ ମହାପାତ୍ର

    ଭୁବନେଶ୍ଵର : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି…

    Continue reading
    ‘ଓଡ଼ିଶାର ଭୂମିପୁତ୍ର ଓ ଜାତୀୟ ନେତାଙ୍କ ପ୍ରତି ଏକ ନିର୍ଲଜ ଆଘାତ’

    ଭୁବନେଶ୍ବର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁଙ୍କ ବାବଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ