
ଭୁବନେଶ୍ବର: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏହା ରାଜ୍ୟର ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ରକୁ ଦର୍ଶାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଶୋଭାଯାତ୍ରାରେ ଗୁଳି ଚଳାଇବା ଅଭିଯୋଗରେ ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ସେପଟେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ରିପୋର୍ଟ ତଲବ କରିଛି ପୋଲିସ ବିଭାଗ ।ରାମ ନବମୀ ଶୋଭାଯାତ୍ରାରେ ବିଧାୟକ ଫାଙ୍କା ଗୁଳି ଚାଳନା କରିବା ଘଟଣା ଡବଲ ଇଞ୍ଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନଚିତ୍ର ବୋଲି ବିଜୁ ଜନତା ଦଳ କହିଛି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଅଭିଯୋଗ କରିଛନ୍ତି ଯେ, ଶାସକ ଦଳର ବିଧାୟକ ହୋଇ ନବୀନ ଜୈନ ଆଇନ ବ୍ୟବସ୍ଥାର ଘୋର ଉଲ୍ଲଂଘନ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି, “ଟିଟିଲାଗଡର ବିଧାୟକ ନବୀନ ଜୈନ ସରକାରୀ ଦଳର ବିଧାୟକ ହୋଇ ସରକାରୀ ନ୍ୟାୟ ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଟିଟିଲାଗଡ ପରି ଶାନ୍ତିପୂର୍ଣ୍ଣ ଜାଗାରେ ସର୍ବସାଧାରଣରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ । ତେଣୁ ଏହି ଅପରାଧର ସଂଜ୍ଞାନ ନେଇ ରାଜ୍ୟ ପୋଲିସ ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରନ୍ତୁ । ଏହିଭଳି ଅମାନବୀୟ ଘଟଣା ନବୀନ ଜୈନଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଏକ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ । ଫଳସ୍ୱରୁପ ସଂପୃକ୍ତ କର୍ମୀଙ୍କର ମୃତ୍ୟୁ ହୋଇଥିଲେ । ଯେହେତୁ ସେ ସରକାରୀ ଦଳର ବିଧାୟକ ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଫଳରେ ତାଙ୍କର ଅଂହକାର ଏବଂ ଔଦ୍ଧତ୍ୟତା ଆହୁରି ବଢି ଭୟଙ୍କର ରୂପ ନେଉଛି । ଯାହା ଟିଟିଲାଗଡ ଏବଂ ରାଜ୍ୟବାସୀ ପାଇଁ ଶୁଭଙ୍କର ନୁହେଁ ।”
ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, “ବିଜେପି ସରକାରର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି । କେଉଁଠି ଏକ ବିଧାୟକ ସର୍ବସାଧାରଣରେ ଗୁଳି ଫୁଟେଇଲେଣି ତ ଆଉ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ଆଇନକୁ ଫୁ କରି ବିନା ହେଲମେଟରେ ବିଶୃଙ୍ଖଳିତ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି । ସେହିଭଳି ରାଜଧାନୀର ରାଜରାସ୍ତାରେ ଏକ ଘରୋଇ ଗାଡିରେ ନାଲିବତୀ ଲଗାଇ ବିଜେପି କର୍ମୀ ବିଶୃଙ୍ଖଳା କରୁଥିଲା ବେଳେ କମିଶନରେଟ ପୋଲିସ ନୀରବଦ୍ରଷ୍ଟା ସାଜିଛି । ଓଡିଶା ଇତିହାସର ସବୁଠାରୁ ଅପାରଗ ଓ ଦୁର୍ବଳ ଗୃହମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ।”




