
ଭୁବନେଶ୍ୱର: ହାତୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ଡିସ୍ପ୍ଲେ ହେବ ରାମୁ କଙ୍କାଳ। କବରରୁ ବାହାର କରାଯିବ ପରେ କଙ୍କାଳର ରାସାୟନିକ ପ୍ରକ୍ରିୟାକରଣ ସରିଛି। ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରିରେ ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ରାମୁ ଥିଲା ଏକ ବଳଶାଳୀ ହାତୀ । ପ୍ରାୟ ୩୫ବର୍ଷ ପୂର୍ବେ ଏହି ଜଙ୍ଗଲରେ ରାମୁ ଜନ୍ମ ନେଇଥିଲା । ଭରତପୁର, ଅନ୍ଧାରୁଆ, ମାଳିମ ଠାକୁରାଣୀ ରାସ୍ତା, ମଳିପଡ଼ା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ଡିଭିଜନ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଯିବା ଆସିବା କରୁଥିଲା। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଲୋକଙ୍କ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରୁଥିଲା। କେବଳ ପେଟ ପାଇଁ ଏହି ବିଶାଳକାୟ ପଶୁ ଏତକ ନାଟ କରୁଥିଲା। ଭରତପୁର ଜଙ୍ଗଲରୁ ବାହାରି ସେ ଲୋକଙ୍କ ପାଖ ଦେଇ ଯିବା ଆସିବା କରେ । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।
ସୂଚନାଥାଉକି, ଚନ୍ଦକା ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଥିବା ବିଶାଳକାୟ ଦନ୍ତା ହାତୀ ରାମୁ ଯେତିକି ଆତଙ୍କ ରଚୁଥିଲା, ସେତିକି ଲୋକଙ୍କର ପ୍ରିୟ ଥିଲା । ରାଜଧାନୀ ଉପକଣ୍ଠରେ ଜନବସତି ଭିତରେ ପଶି ଲୋକଙ୍କ ବାଡ଼ିବଗିଚା ନଷ୍ଟଭ୍ରଷ୍ଟ କରୁଥିଲେ ମଧ୍ୟ କେବେ ବି ଲୋକଙ୍କୁ ଆକ୍ରମଣ କରି ନଥିଲା । ଗତବର୍ଷ ଅଗଷ୍ଟ ୧୯ରେ ଭରତପୁର ଜଙ୍ଗଲ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ୍ ଆଘାତରେ ରାମୁ ହାତୀର ମୃତ୍ୟୁ ଘଟିଥିଲା । ରାମୁ ହାତୀର କଙ୍କାଳ ସଂରକ୍ଷଣ କରି ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ଶେଷରେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କବର ଖୋଳାଯାଇ ରାମୁର କଙ୍କାଳ ଉଦ୍ଧାର କରାଯାଇଥିଲା । କଙ୍କାଳ ଉଦ୍ଧାର ପରେ ସେ ସବୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀକୁ ନିଆଯିବ । ସେଠାରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।




