
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରରେ ରହୁଥିବା ଏକ ଅଣ୍ଡିରା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ପ୍ରାୟ ୮ ମାସ ବୟସ ହୋଇଥିଲା । ଛୁଆଟିର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।ପ୍ରକାଶ ଯେ, ୨୦୨୫ ଡିସେମ୍ବର ୨୭ରେ ବାଘ ‘ଅମିତ’ ଓ ବାଘୁଣୀ ‘ଜୟଶ୍ରୀ’ର ମିଳନରେ ୩ଟି ଶାବକ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ୨ଟି ଶାବକର ମୃତ୍ୟୁ ହୋଇଥିଲା । ବଞ୍ଚିଥିବା ଶାବକକୁ ଜୟଶ୍ରୀ ଗ୍ରହଣ କରିନଥିଲା । ତେଣୁ କର୍ତ୍ତୃପକ୍ଷ ମା’ଠାରୁ ଛୁଆକୁ ଅଲଗା କରି ଲାଳନପାଳନ କେନ୍ଦ୍ରରେ ରଖିଥିଲେ । ଗତ ୧୪ ତାରିଖ ରାତିରେ ଛୁଆଟି ହଠାତ ଅସୁସ୍ଥ ହେବା ସହିତ ଖାଇବା କମାଇ ଦେଇଥିଲା । ଦୁର୍ବଳ ହେବା ସହିତ ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା । ପ୍ରାଣୀ ଚିକିତ୍ସକମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ତାକୁ ଆଣ୍ଟିବାୟୋଟିକ୍, ଭିଟାମିନ ସହିତ ସାଲାଇନ ଦିଆଯାଇ ଚିକିତ୍ସା ଜାରି ରହିଥିଲା । ହେଲେ ବାଘ ଛୁଆଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା ।
ରବିବାର ହଠାତ୍ ତା’ର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୬ଟି ବାଘ ଥିବାବେଳେ ସେଥିମଧ୍ୟରୁ ସାଧାରଣ ରଙ୍ଗର ୧୭ଟି (୧୦ଟି ଅଣ୍ଡିରା ଓ ୭ଟି ମାଈ), ୫ଟି ଧଳା (୩ ଅଣ୍ଡିରା ଓ ୨ ଟି ମାଈ ) ଏବଂ ମେଲାନିଷ୍ଟିକ୍ ବା କଳା ଲୋମଯୁକ୍ତ ୪ଟି (୩ ଟି ଅଣ୍ଡିରା ଓ ଗୋଟିଏ ମାଈ) ଅଛନ୍ତି ।




