
ପୁରୀ: ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ ଖୁଆଇ ନିଜେ ପିଇଦେଇଛନ୍ତି ମା’। ତେବେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଝିଅଙ୍କ ବୟସ ୬ ଓ ଅଢ଼େଇ ବର୍ଷ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ସମଗରା ଅଞ୍ଚଳ ଦୀପୁ ପ୍ରଧାନଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନିଜର ଦୁଇ ଛୋଟ ଝିଅଙ୍କୁ ଭାତରେ ବିଷ ମିଶାଇ ଖାଇବାକୁ ଦେଇ ନିଜେ ଖାଇ ଦେଇଥିଲେ॥ କିଛି ସମୟ ପରେ ତିନିଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ।
ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କୁ ପୁରୀ ସଦର ଡାକ୍ତରଖାନାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପ୍ରିୟା କାହିଁକି ଏଭଳି କାଣ୍ଡ କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚିକିତ୍ସାଧୀନ ଥିବାରୁ ପୋଲିସ ତାଙ୍କର ବୟାନ ରେକର୍ଡ କରିପାରିନାହିଁ। ଖବରପାଇ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପଡ଼ିଶା ଓ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଲେ ତାଙ୍କ ବୟାନ ନିଆଯିବ ବୋଲି ପୋଲିସ କହିଛି। ଏହି ଘଟଣା ପରେ ସମଗରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




