
ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କେବଳ ଓଡ଼ିଶା ନୁହେଁ, ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି ।ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥ୍ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଏବଂ ବିଶ୍ୱ ଆଥ୍ଲେଟିକ୍ସର ମିଳିତ ସହଯୋଗରେ ଏହି ଏକ ଦିବସୀୟ ପ୍ରତିଯୋଗିତାରେ ୨୭ଟି ଦେଶରୁ ମୋଟ ୧୮୭ ଜଣ ଖେଳାଳି ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ପ୍ରସ୍ତୁତି ଶେଷ ହୋଇଛି । କେବଳ ପ୍ରତିଯୋଗିତାକୁ ଅପେକ୍ଷା ରହିଛି ।
ଶନିବାର ଅପରାହ୍ଣ ୪ଟାରେ ମହିଳା ଡିସ୍କସ ଥ୍ରୋରୁ ପ୍ରତିଯୋଗିତା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକଙ୍କ ପ୍ରବେଶକୁ ମାଗଣା କରାଯାଇଛି । ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ବିଷୟ ଘୋଷଣା କରିଥିଲେ ।
ପୁରୁଷ ଓ ମହିଳା ବର୍ଗରେ ମୋଟ୍ ୧୮ଟି ପ୍ରତିଯୋଗିତା ହେବ । ୮୮ ଜଣ ଭାରତୀୟ ଆଥଲେଟ୍ ଏଥିରେ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ପ୍ରତିଯୋଗିତାରେ ଭାଗ ନେଉଥିବା ଓଡ଼ିଆ ଖେଳାଳିମାନେ ହେଲେ ଅନିମେଶ କୁଜୁର (୧୦୦ ମିଟର), ସ୍ୱାଧୀନ କୁମାର ମାଝୀ (ହାଇ ଜମ୍ପ), କିଶୋର ଜେନା (ଜାଭେଲିନ୍), ବାପି ହାଁସଦା (୪୦୦ ମିଟର), ଶ୍ରାବଣୀ ନନ୍ଦ (୧୦୦ ମିଟର) ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ (୧୦୦ ମିଟର) ।
ଏସୀୟ କ୍ରୀଡ଼ା ପୂର୍ବରୁ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ହେଉଛି ଭାରତୀୟ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ରସ୍ତୁତି । କଳିଙ୍ଗ ଷ୍ଟାଡିୟମରେ ୨୦୨୮ରେ ଭୁବନେଶ୍ୱରରେ ୨ଟି ବଡ଼ ପ୍ରତିଯୋଗିତା ଆୟୋଜିତ ହେବ । ଜାନୁଆରୀ ମାସରେ ଏସିଆନ ଇନଡୋର ଆଥଲେଟିକ୍ସ ଏବଂ ମାର୍ଚ୍ଚ ୩ରୁ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ଆୟୋଜିତ ହେବାର ସୂଚୀ ଚୂଡ଼ାନ୍ତ ହୋଇଛି ।
ପୁରୁଷ ବର୍ଗରେ ଇଭେଣ୍ଟ: ୧୦୦ ମିଟର, ୪୦୦ ମିଟର, ୮୦୦ ମିଟର, ୫୦୦୦ ମିଟର, ୧୧୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟ୍ ପୁଟ୍ ଏବଂ ଜାଭେଲିନ୍ ଥ୍ରୋ ।
ମହିଳା ବର୍ଗରେ ଇଭେଣ୍ଟ: ୧୦୦ ମିଟର, ୪୦୦ ମିଟର, ୧୫୦୦ ମିଟର, ୫୦୦୦ ମିଟର, ୧୦୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ଡିସ୍କସ୍ ଥ୍ରୋ ଏବଂ ଜାଭେଲିନ୍ ଥ୍ରୋ ।




