
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି।ବିଦ୍ୟୁତ କ୍ଷେତ୍ର ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ନେଟୱାର୍କ ୫ଟିରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବା ବେଳେ ୨୨୦ କେଭି ନେଟୱାର୍କ ୪୮ରୁ ୭୫କୁ ବୃଦ୍ଧି କରାଯିବ। ରାଜ୍ୟ କ୍ୟାବିନେଟର ୪୭ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।
ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର, ଶିଳ୍ପ ବିଭାଗର, ଅର୍ଥ ବିଭାଗର ଗୋଟିଏ ଲେଖାଏଁ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୩ଟି, ଜଳ ସମ୍ପଦ ବିଭାଗର ୨ଟି, ପୂର୍ତ୍ତ ବିଭାଗର ୪ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଆଇନ ବିଭାଗର ଗୋଟିଏ , ଶକ୍ତି ବିଭାଗର ଗୋଟିଏ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆହୁତ ନିମନ୍ତେ ଗୋଟିଏ ( ସଂସଦୀୟ ବ୍ୟାପାର) ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।
ବିଜୁଳି ଭିତ୍ତିଭୂମିକୁ ଫୋକସ
ବିକଶିତ ଓଡିଶା-୨୦୩୬ ଲକ୍ଷ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରାଯିବ। ମଜବୁତ ଓ ସ୍ଥାୟୀ ବିଦ୍ୟୁତ ପାଇଁ ୧,୫୯୪.୭୦ କୋଟି ଟଙ୍କାର ଟ୍ରାନ୍ସମିସନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ହୀରାକୁଦ ଓ ଇନ୍ଦ୍ରାବତୀରେ ଫ୍ଲୋଟିଂ ସୋଲାର ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ
ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ ମଧ୍ୟ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ।
ସରକାରୀ ସ୍କୁଲ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’
ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ।
OUSSSC ନିୟମ ୨୦୨୫ ସଂଶୋଧନ ମଞ୍ଜୁର
OUSSSC ନିୟମ, ୨୦୨୫ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପୋଲିସ, ଜେଲ, ଅବକାରୀ ଓ ଜଙ୍ଗଲ ବିଭାଗର ସମସ୍ତ ଗ୍ରୁପ୍-ସି ପଦବୀ ପାଇଁ ଗୋଟିଏ ପରୀକ୍ଷା କରାଯିବ। ଏହି ପରୀକ୍ଷାର ନାମ Combined Recruitment Examination (CRE) ରଖାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗର ଗ୍ରୁପ୍-ସି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି।
MS&ME ବିଭାଗ ନୂଆ ନିୟମ
୩୧ଟି ଜିଲ୍ଲା ଶିଳ୍ପ କେନ୍ଦ୍ର (DICs) ର ମିନିଷ୍ଟେରିଆଲ କ୍ୟାଡର ପୁନର୍ଗଠନ। କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ASO, SO ଙ୍କ ପାଇଁ ନୂଆ ନିଯୁକ୍ତି ଓ ପଦୋନ୍ନତି ନିୟମ – Odisha Ministerial Services Rules, 2026 ଅନୁମୋଦନ କରାଯାଇଛି।
କୃଷି ବିଭାଗ ଓ ଉଦ୍ୟାନ କୃଷି କ୍ୟାଡର ପୁନର୍ଗଠନ
ଓଡିଶା କୃଷି ସେବା କ୍ୟାଡର ପୁନର୍ଗଠନକୁ ସରକାରଙ୍କ ମଞ୍ଜୁରୀ ମିଳିଛି। ପଦୋନ୍ନତି ପଦବୀରେ ବୃଦ୍ଧି କରାଯାଇଛି। ଚାଷୀଙ୍କୁ ତୁରନ୍ତ ସେବା ପାଇଁ ଫିଲ୍ଡ ସ୍ତରରେ ଅଧିକ ଅଫିସର ନିଯୁକ୍ତ ହେବେ। ସେହିପରି ଓଡିଶା ହର୍ଟିକଲଚର ସର୍ଭିସ କ୍ୟାଡର ପୁନର୍ଗଠନକୁ ରାଜ୍ୟ ସରକାରଙ୍କ ଅନୁମୋଦନ।. ମୋଟ ପଦବୀ ୪୦୩ ରୁ ୪୭୦ କୁ ବୃଦ୍ଧି କରାଯାଇଛି। . ଚାଷୀଙ୍କୁ ଉଦ୍ୟାନ କୃଷି ସେବା ଶୀଘ୍ର ପହଞ୍ଚିବ, ଅଫିସରଙ୍କ ପଦୋନ୍ନତି ସୁଯୋଗ ବଢିବ।
ଜଳସମ୍ପଦ ବିଭାଗ ନୂଆ ଯୋଜନା BOITA
ଜଳସମ୍ପଦ ବଭାଗର “Building Odisha’s Irrigation Tourism Amenities (BOITA)” ଯୋଜନା ଅନୁମୋଦନ ମିଳିଛି। ୬୫୦ କୋଟି ଟଙ୍କାର ଯୋଜନା ରହିଛି। ପୁରୁଣା ଜଳସେଚନ କୋଠା ଓ ଐତିହ୍ୟ ପୁନରୁଦ୍ଧାର, କଳିଙ୍ଗ ସାମୁଦ୍ରିକ ପରମ୍ପରା ଓ ପାରମ୍ପରିକ ଜଳ ପରିଚାଳନାକୁ ପ୍ରୋତ୍ସାହନ ସହ ପର୍ଯ୍ୟଟନ ବିକାଶ କରାଯିବ । ଗଭୀର ନଳକୂପ ଜଳସେଚନ ଯୋଜନାରେ ସୋଲାର ଓ ନନ୍-ସୋଲାର ପମ୍ପ ସହ ଗଭୀର ନଳକୂପ ଯୋଜନା ପାଇଁ ୮,୬୫୩.୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ ବର୍ଷରେ ୧,୫୦,୦୦୦ ନଳକୂପ ସ୍ଥାପନ କରାଯିବ। ୨୬ ଜିଲ୍ଲା, ୨୫୬ ବ୍ଲକରେ ୭,୫୦,୦୦୦ ହେକ୍ଟର ଜମିରେ ଜଳସେଚନ କରାଯିବ । ବିଶେଷ କରି ପଶ୍ଚିମ ଓଡିଶା, KBK, ପାହାଡିଆ ଓ ହାର୍ଡ ରକ୍ ଅଞ୍ଚଳକୁ ଫୋକସ ଦିଆଯିବ।
ରାୟଗଡା-କେରେଡା ରାସ୍ତା ୪-ଲେନ୍
ରାୟଗଡା-କେରେଡା ରୋଡ୍ ୨-ଲେନ୍ ରୁ ୪-ଲେନ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଓଡିଶା-ଆନ୍ଧ୍ର ସଂଯୋଗ ମଜବୁତ ହେବ। ମା’ ମଝିଘରିଆଣୀ ମନ୍ଦିର ଓ ଆଦିବାସୀ ଅଞ୍ଚଳର ବିକାଶ ହେବ ।
ସଂଶୋଧିତ ବସୁଧା ଯୋଜନା ମଞ୍ଜୁର
ବକ୍ସି ଜଗବନ୍ଧୁ ନିଶ୍ଚିତ ପାନୀୟ ଜଳ ଯୋଗାଣ (BASUDHA) ସଂଶୋଧିତ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିରେ ୫,୦୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବାଦ୍ ପଡିଥିବା ଗାଁକୁ ପାଇପ୍ ପାଣି, ଅସମ୍ପୂର୍ଣ୍ ପ୍ରକଳ୍ପ ସମାପ୍ତ କରାଯିବ।








