ରକ୍ତର କୌଣସି ବିକଳ୍ପ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ୟୁନିଟ-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି। ଏହି ପୂର୍ବରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ଅଶୋକ ଗଛର ଚାରା ମଧ୍ୟ ରୋପଣ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଭାରତର ବିନ୍ଧାଣୀ ମୋଦୀଜୀଙ୍କ ଦୀର୍ଘ ୫୦ ବର୍ଷର ଜନସେବା ଏବଂ ୨୫ ବର୍ଷର ନିରବଚ୍ଛିନ୍ନ ଶାସନ ଦେଶରେ କାୟାକଳ୍ପ ଆଣିଛି। ତାଙ୍କର ଏହି କଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳିତ ହେଉଥିବା ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବସେବା ଓ ତ୍ୟାଗର ଏକ ବିରାଟ ଜନ-ଆନ୍ଦୋଳନ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡ଼ି ନପଡ଼େ, ସେଥିପାଇଁ ସରକାର ସଂକଳ୍ପବଦ୍ଧ। ଏହି ଶିବିରରେ ଆଜି ୬,୫୦୦ ୟୁନିଟ୍‌ରୁ ଅଧିକ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ବଜେଟ୍‌ରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ ସହ “ଅଟଳ ରକ୍ତଦାନ ଅଭିଯାନ” ଆରମ୍ଭ କରାଯାଇଛି। ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଏବଂ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି।

ଦେଶର ବିକାଶ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ପ୍ରଭାବଶାଳୀ ଭୂ-ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ପ୍ରତିରକ୍ଷା ଆମଦାନୀ ୭୦% ରୁ ହ୍ରାସ ପାଇ ୩୫% ରେ ପହଞ୍ଚିବା ସହ ସେମିକଣ୍ଡକ୍ଟର ଓ ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ୨୦୪୭ ପୂର୍ବରୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ସେହିପରି ରାଜ୍ୟର ଯୁବଶକ୍ତିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ, ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ କାଢ଼ି ସମାଜସେବାରେ ନିୟୋଜିତ ହେବା ସହ ଦେଶସେବା ପାଇଁ ବ୍ରତୀ ହେବା ହିଁ ମୋଦୀଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ନଗର ଉନ୍ନୟନ, ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଆଜିର ଦିନଟି କୌଣସି ସାଧାରଣ ଦିବସ ନୁହେଁ। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୀର୍ଘ ୨୫ ବର୍ଷର ନିସ୍ୱାର୍ଥପର ସେବା ଓ ସଂକଳ୍ପକୁ ସ୍ମରଣ କରିବାର ଏହା ଏକ ପବିତ୍ର ଅବସର। ଜଣେ ବ୍ୟକ୍ତିର ମୂଲ୍ୟବାନ୍ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ଅତ୍ୟନ୍ତ ଆବଶ୍ୟକ, ସେଥିପାଇଁ ଆମ ସମସ୍ତଙ୍କ ମଧ୍ୟରେ ସେବା ଓ ସମର୍ପଣ ଭାବନା ରହିବା ଦରକାର। ଆଜି ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିର ରାଜ୍ୟରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି କରିବ ବୋଲି ସେ ଦୃଢ଼ ପ୍ରକାଶ କରିଥିଲେ।

ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଜଣେ ଜନପ୍ରତିନିଧି ଭାବେ କ୍ରମାଗତ ୨୫ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ସାଧାରଣ ଲୋକଙ୍କ ନିରବଚ୍ଛିନ୍ନ ସେବା ପାଇଁ ସେ ଆଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଯାହାକୁ ସ୍ମରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କୋଭିଡ୍-୧୯ ମହାମାରୀ ପରଠାରୁ ରକ୍ତଭଣ୍ଡାରଗୁଡ଼ିକରେ ଯେଉଁ ରକ୍ତର ଅଭାବ ଦେଖାଦେଇଥିଲା, ଆଜିର ଏହି ବିଶାଳ ରକ୍ତଦାନ ଶିବିର ସେହି ଆବଶ୍ୟକତାକୁ ପୂରଣ କରିବାରେ ବେଶ୍ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ଭଟଲି ବିଧାୟକ ଶ୍ରୀ ଇରାସିସ ଆଚାର୍ଯ୍ୟ, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ଯୁବନେତା ଶ୍ରୀ ଅଭିଲାଷ ପଣ୍ଡା, ଦଳର ବରିଷ୍ଠ ନେତୃବୃନ୍ଦ, ରକ୍ତଦାତା, ଯୁବ ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ