
ଦେବଗଡ଼ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ ଓ ଆଗକୁ ବଢିବାକୁ ହେଲେ ବିଜ୍ଞାନ ସହ ତାଳ ଦେଇ ଚାଲିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ। ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କ୍ରୀଡା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ରଙ୍କ ତତ୍ୱାବଧାନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷିକା ଇପ୍ସିତା ପଟ୍ଟନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରାଇଥିଲେ।ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ମଞ୍ଚ ସଂଯୋଜନା କରିଥିବା ବେଳେ ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଲି ଲାକ୍ରା ଧନ୍ୟବାଦ ପ୍ରଦାନ କରିଥିଲେ।ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡା, ସୁବର୍ଣ୍ଣପୁର ଜ଼ିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ମୋଟ ୬ଟି ଦଳ ଉକ୍ତ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟାଳୟ ସହାୟକ ଗୌରହରି ସାହୁ ନାଟକ ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ।ସୁନ୍ଦରଗଡ଼ ଜ଼ିଲ୍ଲାର ପିଏମଶ୍ରୀ ଆର.ଇ.ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ ରାଉରକେଲା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅଭିନୀତ ନାଟକ ପ୍ରଥମ, ସମ୍ବଲପୁର ଜ଼ିଲ୍ଲା ଏ. କଟାପାଲି ଉଚ୍ଚ ବିଦ୍ୟାଳୟ ନାଟକ ଦ୍ଵିତୀୟ ଓ ଝାରସୁଗୁଡା ଜ଼ିଲ୍ଲା ମନୋଜ ପାଢ଼ୀ ଉଚ୍ଚ ବିଦ୍ୟାଳୟ ସରଣ୍ଡାମାଳ ତୃତୀୟ ଶ୍ରେଷ୍ଠ ନାଟକ ସେହିପରି ଶ୍ରେଷ୍ଠ ନିର୍ଦେଶକ ଛବିରାଣୀ ପ୍ରଧାନ ରାଉରକେଲା ,ଶ୍ରେଷ୍ଠ ପଟ୍ଟକଥା ଲେଖକ ପ୍ରଶାନ୍ତ କୁମାର ଖମାରୀ ସମ୍ବଲପୁର,ଶ୍ରେଷ୍ଠ ଅଭିନେତା ମିହିର ରଞ୍ଜନ ମାଝୀ ବରଗଡ଼,ଶ୍ରେଷ୍ଠ ଅଭିନେତ୍ରୀ ଖୁସୁବୁ କୁମାରୀ ଝାରସୁଗୁଡା ସ୍ଥାନ ଅଧିକାର କରି ଅତିଥିଙ୍କ ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପ୍ରତିଯୋଗିତାରେ ଡ଼.ଭାରତ ଭୂଷଣ ନନ୍ଦ, ଉଦୟ କୁମାର ପ୍ରଧାନ , ରାକେଶ କୁମାର ଶତପଥି,ପ୍ରଦୀପ କୁମାର ଅମାନ୍ତ ବିଚାରକ ଦାୟିତ୍ୱ ବହନ କରିଥିଲେ।ଅପରାହ୍ନ ଉଦଯାପନୀ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଙ୍କ ସଭାପତିତ୍ୱରେ ବରେଣ୍ୟ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟ ଅଭିନେତା ତଥା ଆଡ଼ଭୋକେଟ ଦିଲ୍ଲୀପ କୁମାର ଗୁରୁ ଦେବଗଡ଼ ଏକ କଳାର ମାଟି ଏହି ପବିତ୍ର ମାଟିରେ ସମସ୍ତ କୁନି କଳାକାର ଓ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ବେହେରା ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷିକା ଇପ୍ସିତା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି ଶ୍ରେଷ୍ଠତ୍ୱ ହାସଲ କରିଥିବା ଦଳ,ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜିତା ମିଶ୍ର,ରାମକୃଷ୍ଣ ସାହୁ, ବୀରକିଶୋର ପ୍ରଧାନ, ତପନ କୁମାର ପ୍ରଧାନ, ହିମାଂଶୁ ଶେଖର ଦେହୁରୀ, ସିଆରସିସି ଚୂଡ଼ାମଣି ସାହୁ ଭେନସ କୁମାର ପ୍ରଧାନ, ଲମ୍ବୋଦର କିସାନ ହେମନ୍ତ ମହାକୁଳ, ଦେବାର୍ଚ୍ଚନ ଉଦବାର, ଏଲିନା ବେହେରା, ଭାବିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।








