
ବାଲେଶ୍ୱର/ବେତନଟୀ: ବେଆଇନ୍ ସମ୍ପତ୍ତି ଠୁଳ କରିଥିଲେ । ଦିନେ ନା ଦିନେ ଭିଜିଲାନ୍ସ ଚଢ଼ଉ ହେବ ଆଶଙ୍କା ମଧ୍ୟ କରିଥିଲେ । ଏଥିରୁ ବର୍ତ୍ତିବାକୁ ସମ୍ପତ୍ତିର କାଗଜପତ୍ର ଜଣେ ବିଶ୍ୱସ୍ତ ଠିକାଦାରଙ୍କ ଘରେ ମାଟିତଳେ ଲୁଚାଇଥିଲେ । କିନ୍ତୁ ଉପାୟ କାମ ଦେଲାନି । ଭିଜିଲାନ୍ସ ହାତରେ ଲାଗିଛି ତାଙ୍କର ସବୁ ଗୁପ୍ତ ଧନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ବିଭାଗ ସବ୍ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ମଙ୍ଗଳବାର ଗିରଫ ହୋଇଛନ୍ତି । ସମ୍ପତ୍ତି ବିଷୟରେ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଅପରପକ୍ଷରେ ଭିଜିଲାନ୍ସ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ବି ତାଙ୍କ ସମ୍ପତ୍ତି ଠାବ ପ୍ରକ୍ରିୟା ଜାରି ରହିଛି । ଭିଜିଲାନ୍ସଠୁ ବତ୍ତି ର୍ବାକୁ ଶ୍ରୀ ମହାନ୍ତି ନିଜ ନାମରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଯଥା-ଜମି ପଟ୍ଟା, ବ୍ୟାଙ୍କ୍ ଲକର୍ ଚାବି, ବ୍ୟାଙ୍କ୍ ଜମା ଖାତାକୁ ବିଶ୍ୱନାଥ ପାଲ୍ ନାମକ ଜଣେ ଠିକାଦାରଙ୍କ ଘରେ ମାଟିି ତଳେ ପୋତିଥିଲେ । ଯାହା ଭିଜିଲାନ୍ସ ଠାବ କରିଛି । ମାଟି ତଳୁ ୨୦ଟି ଦାମୀ ପ୍ଲଟର କାଗଜପତ୍ର ଜବତ ହୋଇଛି । ଶ୍ରୀ ମହାନ୍ତିଙ୍କ ବାଲେଶ୍ୱରସ୍ଥିତ ଘରେ ୫ ବର୍ଷ ଭଡ଼ା ସୂତ୍ରରେ ଥିଲେ ଠିକାଦାର ଶ୍ରୀ ପାଲ୍ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏବେ ଶ୍ରୀ ପାଲ୍ ଅନ୍ୟତ୍ର ରହୁଛନ୍ତି । ମାତ୍ର ଶ୍ରୀ ମହାନ୍ତି ନିଜ ସମସ୍ତ ଜମିଜମା କାଗଜପତ୍ର, ବ୍ୟାଙ୍କ୍ ଲକର୍ ଚାବି ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଶ୍ରୀ ପାଲଙ୍କ ଘରେ ଲୁଚାଇଥିଲେ । ଶ୍ରୀ ପାଲଙ୍କ ଘରୁ ଭିଜିଲାନ୍ସ ଟିମ୍ ତିନୋଟି ବ୍ୟାଙ୍କ୍ ଲକର୍ ଚାବି ଜବତ କରିଛି । ଗୋଟିଏ ଲକର୍ ଚାବି ଶ୍ରୀ ମହାନ୍ତିଙ୍କ ପତ୍ନୀଙ୍କ ନାମରେ ଥିବା ବେଳେ ଅନ୍ୟ ଦୁଇଟି ଶ୍ରୀ ପାଲଙ୍କ ନାମରେ ଅଛି । ଶ୍ରୀ ପାଲଙ୍କ ନାମରେ ଥିବା ଏହି ଲକର୍ ଅଭିଯୁକ୍ତ ଯନ୍ତ୍ରୀ ଶ୍ରୀ ମହାନ୍ତି ପରିଚାଳନା କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲେଶ୍ୱର ଭିଜିଲାନ୍ସ ଏସ୍ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି । ମଙ୍ଗଳବାର ରାତି ସୁଦ୍ଧା ଭିଜିଲାନ୍ସ ଟିମ୍ ପକ୍ଷରୁ ତଲାସି ଜାରି ରହିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ବିଭିନ୍ନ ସ୍ଥାନରୁ ନଗଦ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ଜବତ ହୋଇଛି । ଏହା ବ୍ୟତୀତ ଜମି କାଗଜପତ୍ର, ଲିଜ୍ ଏଗ୍ରିମେଣ୍ଟ ମଧ୍ୟ ଭିଜିଲାନ୍ସ ଟିମ୍ ହାତରେ ପଡ଼ିଛି । ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସଂସ୍ଥାରେ ୬୯. ୬୯ ଲକ୍ଷ ଟଙ୍କାର ଜମା ମିଳିଛି । ଏହା ବ୍ୟତୀତ ୨୩ଟି ମୂଲ୍ୟବାନ୍ ପ୍ଲଟ୍, ୨ଟି ବହୁତଳ କୋଠା ଓ ଫାର୍ମହାଉସ୍ ଠାବ ହୋଇଛି । ଭିଜିଲାନ୍ସ ମମଲା ନଂ-୨୫/୨୬ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ବାରିପଦା ଭିଜିଲାନ୍ସ ଟିମ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଥିବା ତାଙ୍କ ଅଫିସ, ବାସଭବନ, ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରକୁ ମିଶାଇ ୧୦ଟି ସ୍ଥାନରେ ଚଢ଼ଉ କରିଥିଲେ ।








