
ଭୁବନେଶ୍ୱର: ଚାରି ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ରାଜଧାନୀରେ ବସ୍, ଅଟୋ, ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ମାଷ୍ଟରକ୍ୟାଣ୍ଟିନ ଛକରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯିବା ସହ ଧାରଣା ଦିଆଯାଇଛି । ଏଥିପାଇଁ ଜନପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ମାଷ୍ଟରକ୍ୟାଣ୍ଟିନ ଛକରେ ଆମ ବସ୍ ଗୁଡ଼ିକ ଅଟକି ରହିଛି । ଜନପଥରେ ଖୋଲା ଥିବା ଏସବିଆଇ ଶାଖାକୁ କଂଗ୍ରେସ କର୍ମୀମାନେ ବନ୍ଦ କରିଛନ୍ତି । ସେହିପରି ଜୟଦେବ ବିହାର, ସତସଙ୍ଗ ବିହାରରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଛନ୍ତି । ଏଥିପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ ଦେଖିବାକୁ ମିଳିଛି ।
ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରୀ କୌଣସି ବସ୍ ଗଡୁନାହିଁ । ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଯିବାକୁ ଥିବା ରତ୍ନାକର ଦଳାଇ କହିଛନ୍ତି, “ଏକ ଜରୁରୀ କାମରେ ବାଲେଶ୍ଵର ଯିବାର ଥିଲା । ହେଲେ ବନ୍ଦ ପାଇଁ ହଇରାଣ ହେବାକୁ ପଡୁଛି । ବସ୍ ଚାଲିବାକୁ ମୁଁ ଅପେକ୍ଷା କରିଛି ।”
ଅନ୍ୟପକ୍ଷରେ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଅପ୍ରୀତିକର ଘଟଣା ଘଟିଛି । ଜଣେ ବ୍ୟକ୍ତି କାର୍ ନେଇ ଅଶୋକ ନଗର ଆଡ଼କୁ ଯାଉଥିବା ବେଳେ ଆନ୍ଦୋଳନକାରୀ ଅଟକାଇଥିଲେ । ଏହି ସମୟରେ ପ୍ରଦୀପ ନାୟକ ନାମକ ଆନ୍ଦୋଳନକାରୀଙ୍କ ଗୋଡ଼ରେ କାର୍ ଚଢ଼ିଯାଇଥିଲା । ଫଳରେ ପ୍ରଦୀପ ସାମାନ୍ୟ ଆହତ ହୋଇ ରାସ୍ତାରେ ବସି ରହିଥିଲେ । ଏହି ସମୟରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ ଚାଳକ ଜଣକ କ୍ଷମା ମାଗିବାରୁ ବିକ୍ଷୋଭକାରୀମାନେ ତାଙ୍କୁ ଛାଡ଼ିଥିଲେ ।
ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରରେ ୧୦୦ ଅଫିସର ଓ ୧୮ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି । ଡିସିପି ସର୍ବଣା ବିବେକ ଏମ୍ କହିଛନ୍ତି, “ବିଶେଷ କରି ମୁଖ୍ୟ ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । କ୍ୟାପିଟାଲ, ଖାରବେଳନଗର, ସହିଦନଗର, ଭରତପୁର ଥାନା ଆଦିକୁ ଗୁରୁତ୍ୱ ଦିଆଯାଇଛି । ସାରା ଭୁବନେଶ୍ୱରରେ ପୋଲିସ ଓ ଫୋର୍ସ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ହେବ ବୋଲି ଆଶା କରୁଛୁ ।”








