
ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ । ଏହା ଉତ୍ତର, ପଶ୍ଚିମ ଦିଗରେ ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିନପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ବିସ୍ତାରିତ ଆକଳନରୁ ଜଣାପଡ଼ିଛି ।
ସେପଟେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି । ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଆସନ୍ତା ୩ରୁ ୪ ଦିନରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ମୌସୁମୀ ବାୟୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୧୪ ତାରିଖ ଯାଏ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି । ସେହିଭଳି ୧୫ରୁ ୨୧ ତାରିଖ ଭିତରେ ପୂରା ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି ।
ଗୁରୁବାର ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ବା ଏହାଠାରୁ ଅଧିକ ଥିଲା । ତାଳଚେରରେ ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ୩୫.୪ ଓ ଛତ୍ରପୁରରେ ୩୫.୧ ଡିଗ୍ରୀ ରେକର୍ଡ ହୋଇଛି । ୯ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।








