
ଦେବଗଡ଼:ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଲା ପଞ୍ଚାୟତ ଡି଼ଗ୍ରୀ କଲେଜରେ ଆଜି ଉତ୍ତେଜନା ଦେଖାଦେଇଛି ।ନିର୍ବାଚନ ପ୍ରଚାର ସମୟରେ ଅଣଛାତ୍ରଙ୍କ ହସ୍ତକ୍ଷେପକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଛି।ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ କିଛି ଅଣଛାତ୍ର ଆସି ପ୍ରଚାର କରୁଥିବା ନେଇ କେତେକ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ ଅଭିଯୋଗର ସମାଧାନ ନହେବାରୁ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଛାତ୍ରଛାତ୍ରୀମାନେ ୪୯ନମ୍ବର ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଖବରପାଇ ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ,ବାରକୋଟ ଥାନା ଆଇଆଇସି ସୁଶାନ୍ତ ବଢେଇ,କଲେଜ ଅଧ୍ୟକ୍ଷ ଶାନ୍ତନୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପଟେ ଏନେଇ କଲେଜରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। କଲେଜରେ ଶାନ୍ତି ବଜାୟ ରଖିବା ସହ ନିର୍ବାଚନ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ କଲେଜ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି।







