
ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ଙ୍କ ନିକଟରେ ଓଡ଼ିଶାରେ ବିକାଶ ନେଇ ପ୍ରାର୍ଥନା କରିଛନ୍ତି । ଏଥି ସହ ପୀଠର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ଯାହାବି ଆନୁସଙ୍ଗିକ ବ୍ୟବସ୍ଥା ଦରାକାର ତାହା ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ”ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମା’ ତାରାତାରିଣୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି । ଓଡ଼ିଶା ଆଗାମୀ ଦିନରେ କିପରି ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ ହେବ, ଲୋକଙ୍କ ଦୁଃଖ ଦୂର ହୋଇ ଶାନ୍ତି ଫେରିବ ସେନେଇ ମା’ଙ୍କ ପାଖରେ ପ୍ରାର୍ଥନା କରିଛି । ପୀଠର ଉନ୍ନତି କରାଯାଉଛି । ଆଗାମୀ ଦିନରେ ଏଠି ଜିଲ୍ଲା ପ୍ରଶାସନ ତରଫରୁ , ସ୍ଥାନୀୟ ପ୍ରତନିଧିକଙ୍କ ଯେଉଁ ଦାବି ରହିଛି, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କର ମତାମତ ନେଇ ଏହାକୁ ଆହୁରି ଉନ୍ନତି କରାଯିବ । ଏହା ଦେଶର ଆଦିଶକ୍ତି ପୀଠ, କିଭଳି ଏହା ଆହୁରି ଲୋକପ୍ରିୟ କରାଯିବ । ଯାହା ଦ୍ବାରା ଦେଶର କୋଣ ଅନୁକୋଣରୁ ଏଠାକୁ ଶ୍ରଦ୍ଧାଳୁ ମାନେ ଆସିବେ । ସେନେଇ ଯେଉଁବି ଆନୁସଙ୍ଗିବ ବ୍ୟବସ୍ଥା ଦରକାର ତାହା ରାଜ୍ୟ ସରକାର ପୂରଣ କରିବେ ।








