
ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଦେଇଛନ୍ତି। ଗୁରୁବାର ରାତି ୯.୫୧ରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା। ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ସେହିପରି ସିଡବ୍ଲୁସି ପାଇଁ କର୍ଣ୍ଣାଟକାରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ। ଶ୍ରୀ ସିଂହଙ୍କ ପରଲୋକ ଯୋଗୁ ଆଜି କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଦଳ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ଅନେକ ବରିଷ୍ଠ ନେତା ମଧ୍ୟ ବିଭିନ୍ନ ରାଜ୍ୟରୁ ଶ୍ରୀ ସିଂହଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଆସିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ଯୋଗେ ଶ୍ରୀ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଆରବିଆଇର ଗଭର୍ଣ୍ଣର ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ ଜିତି ନାହାନ୍ତି। ଗୋଟିଏ ଦଶନ୍ଧିରୁ ଅଧିକ ସହ ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ। ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗାହ (ବର୍ତ୍ତମାନର ପାକିସ୍ତାନରେ) ଗାଁରେ ୧୯୩୨ମସିହା ସେପ୍ଟେମ୍ବର ୨୬ରେ ଜନ୍ମଗ୍ରହଣ କରିଥିଲେ। ୧୯୪୮ ମସିହାରେ ଡକ୍ଟର ସିଂହ ପଞ୍ଜାବରୁ ପାସ୍ କରିବା ପରେ ତାଙ୍କ ଅଧ୍ୟୟନ ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏ ଲମ୍ବିଥିଲା। ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ। ୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ôଥକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାପରେ ଅର୍ଥାତ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ôଥକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ଦେଶର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅର୍ଥାତ ଅର୍ଥମନ୍ତ୍ରଣାଳୟର ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦରେ ରହିଥିଲେ। ୧୯୯୧ ମସିହାରେ ଭାରତ ଆର୍ôଥକ ସଂକଟ ଦେଇ ଗତି କରୁଥିବା ବେଳେ ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କଡ଼ା ବିରୋଧ ସତ୍ତ୍ୱେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଠୋର ବ୍ୟବସ୍ଥା କରିଥିଲେ। ଏହି କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସଙ୍କଟ ଟଳି ଯାଇଥିଲା। ତାଙ୍କୁ ଏହାପରେ ବିଶ୍ୱ ଦରବାରରେ ଜଣେ ମହାନ ଅର୍ଥ ଶାସ୍ତ୍ରୀ ଭାବେ ଗଣତି କରାଯାଇଥିଲେ। ୧୯୯୮ରୁ ୨୦୦୪ ଯାଏ ଶ୍ରୀ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୯ରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଡକ୍ଟର ସିଂହ ନିଜର ପ୍ରଶାସିନିକ ଓ ରାଜନୀତିକ କ୍ୟାରିୟର ମଧ୍ୟରେ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କୁ ୧୯୮୭ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ୧୯୯୩ ଓ ୧୯୯୪ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ୧୯୯୩ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର ମିଳିଥିଲା।




