
ପୁରୀ: ଆଜି ପ୍ରଥମାଷ୍ଟମୀ। ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶନିବାର ଭୋଗମଣ୍ଡପ ବଢ଼ିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯିବ।
ଏହାପରେ ଠାକୁରଙ୍କୁ ନୂଆଲୁଗା ଲାଗି କରାଯିବ। ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳି ମାଧବଙ୍କ ପୀଠରୁ ଗତ ପାଞ୍ଚବର୍ଷ ହେବ ପଢୁଆଁ ଭାର ଆସୁଛି। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି। ଏ ବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି। ଏହାକୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ଦାନ ଆକାରରେ ଗ୍ରହଣ କରିଛି।
ଗତକାଲି ଅପରାହ୍ଣରେ ମାଧବ ମନ୍ଦିରରୁ ଭାର ଆଣି ଆସିଥିବା ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନକାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ଆସିଛି।




