
ଭୁବନେଶ୍ୱର: ଆଜି ବି ବାତ୍ୟାଞ୍ଚଳ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଆକାଶମାର୍ଗରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସର୍ଭେ କରିବେ। ଏଥିସହ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ କରିଥିବା କେନ୍ଦ୍ରପଡ଼ା ଜିଲ୍ଲା ହାବେଳୀଖଟିର ବି ସ୍ଥିତି ପରଖିବେ। ଏହାପରେ ମୁଖ୍ୟମନ୍ତ୍ରୀ ଏସଆରସି କାର୍ୟ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ବୋଲି ଜଣାଯାଇଛି।ଆଜି ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏରିଅଲ ସର୍ଭେ କରିବେ। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ବି ଉପସ୍ଥିତ ରହିବେ।
ବାତ୍ୟା ‘ଦାନା’ ପରେ ପ୍ରବଳ ବର୍ଷା ହେତୁ ବୁଢ଼ାବଳଙ୍ଗ ନଦୀ ଉଛୁଳି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଏପରିକି ବହୁ ଗାଁରେ ପାଣି ପଶିଯିବା ସହ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି।




