
ଭୁବନେଶ୍ବର: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପଶୁଥିଲା। ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀ ଅବବାହିକାରେ ଛୋଟ ବନ୍ୟାର ଆଶଙ୍କା ରହିଛି। ଆଜି ସନ୍ଧ୍ୟା ୬ଟାରେ ୫ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀକୁ ଆସିବ। ବନ୍ୟାଜଳ ମୁଣ୍ଡଳୀରେ ଶୀର୍ଷ ଛୁଇଁବା ପରେ ତଳକୁ ଖସିବାର ସମ୍ଭାବନା ରହିଛି। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଫାଟକ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ରେଙ୍ଗାଲି ଜଳ ଭଣ୍ଡାରକୁ ଜଳ ପ୍ରବେଶ କମୁଥିବାରୁ ଗୋଟିଏ ଫାଟକ ବନ୍ଦ କରି ଦିଆଯାଇଛି। କୌଣସି ନଦୀରେ ବନ୍ୟାନାହିଁ। ଗତକାଲି କେବଳ ୧୦ଟି ବ୍ଲକରେ ୫୦ ମି.ମି. ବର୍ଷା ହୋଇଛି। କୌଣସି ବ୍ଲକରେ ୧୦୦ମି.ମି. ବର୍ଷା ହୋଇନି। ଆଗାମୀ ୭ଦିନ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।
୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୩୮କ୍ୟୁସେକ୍ ନିଷ୍କାସିତ ହେଉଥିଲା। ପୂର୍ବାହ୍ଣରେ ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସନ ହେଉଥିଲା; କିନ୍ତୁ ଦୁଇଟି ପର୍ୟ୍ୟାୟରେ ୮ଟି ଫାଟକ ବନ୍ଦ କରି ଦିଆଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ ପ୍ରବାହିତ ହେଉଥିବାବେଳେ ଖଇରମଳରେ ୫ଲକ୍ଷ ୩୪ହଜାର କ୍ୟୁସେକ୍ ଏବଂ ବରମୂଳରେ ୪ଲକ୍ଷ ୮୪ହଜାର ୫୦୦ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିଲା।



