ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ,ହଷ୍ଟେଲ୍‌ରେ ଭଙ୍ଗାରୁଜା

ଭୁବନେଶ୍ବର,03/09: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍‌ ଛାଡ଼ିବାକୁ ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ତିନିଟି ଯାକ ଛାତ୍ରାବାସକୁ କବ୍‌ଜା କରିବା ସହ ଛାତ୍ରମାନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ହଷ୍ଟେଲ୍‌ ରୁମ୍‌ରେ ଭଙ୍ଗାରୁଜା କରିଛନ୍ତି। ହଷ୍ଟେଲ୍‌ କ୍ୟାମ୍ପସ ଭିତରକୁ କାହାରିକୁ ପ୍ରବେଶ କରିବାକୁ ସୁଯୋଗ ଦେଉ ନାହାନ୍ତି। ଏମିତିକି ଡେପୁଟି ୱାର୍ଡେନ୍‌ ପ୍ରଫେସର ଶିବଶଙ୍କର ମହାନ୍ତି, ସୁପରିନ୍‌ଟେଣ୍ଡେଣ୍ଟ ପ୍ରଫେସର ମନୋରଞ୍ଜନ ମଲ୍ଲିକ ଓ ପ୍ରଫେସର ପପେସ୍‌ ଲେଙ୍କା ଅଣଛାତ୍ରଙ୍କ ଆକ୍ରୋଶରୁ ବର୍ତ୍ତିପାରି ନାହାନ୍ତି। ସନ୍ଧ୍ୟାରେ ସେମାନଙ୍କୁ ଏକ ଘଣ୍ଟା ଅଟକ ରଖି ଗାଳିଗୁଲଜ କରିଛନ୍ତି। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରିଛନ୍ତି। କେହି ଆହତ ହୋଇ ନ ଥିଲେ ମଧ୍ୟ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି ଏବଂ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ବିଳମ୍ବିତ ରାତିରେ କିଛି ଅଣଛାତ୍ର କୁଳପତି ଓ ୱାର୍ଡେନ୍‌ଙ୍କ ବାସଭବନ ଆଗରେ ହୋହଲ୍ଲା କରିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଘଉଡ଼ାଇଥିଲା।
ବିଜ୍ଞପ୍ତି ଆଧାରରେ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ରଙ୍କୁ ଏକ ନମ୍ବର ଛାତ୍ରାବାସରେ ରଖିବାକୁ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଡେପୁଟି ୱାର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ ଏକ ନମ୍ବର(ଗୋପବନ୍ଧୁ) ଛାତ୍ରାବାସ ଯାଇଥିବା ବେଳେ ସେଠାରେ ଥିବା ଅଣଛାତ୍ରମାନେ ସେମାନଙ୍କୁ ଅଟକ ରଖିଥିଲେ। ବାହାରକୁ ଛାଡ଼ି ନ ଥିଲେ। କେବଳ ସେତିକି ନୁହେଁ, ହଷ୍ଟେଲ୍‌ ଭିତରେ ଥିବା ଛାତ୍ରଙ୍କୁ ବାହାରକୁ ଛାଡ଼ି ନ ଥିଲେ କି ବାହାରେ ଥିବା ଛାତ୍ରଙ୍କୁ ଭିତରେ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ। ହ‌ଷ୍ଟେଲ୍‌ ଲାଇଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧି ଅଣଛାତ୍ରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଅଣଛାତ୍ରମାନେ ଟେକାପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲା। ଘନ ଘନ ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ବିଶ୍ବବିଦ୍ୟାଳୟ ୱାର୍ଡେନ୍‌ ପ୍ରଫେସର କବୀର ମୋହନ ସେଠୀ ଓ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଅଣଛାତ୍ରଙ୍କୁ ବୁଝାସୁଝା ପରେ ଡେପୁଟି ୱାର୍ଡେନ୍‌ ଓ ସୁପରି‌ନ୍‌ଟେଣ୍ଡେଣ୍ଟ ଅଣଛାତ୍ରଙ୍କ କବ୍‌ଜାରୁ ମୁକୁଳିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗୋପବନ୍ଧୁ ଛାତ୍ରାବାସରେ ଦୌରାତ୍ମ୍ୟ କରିଥିବା ଅଣଛାତ୍ରଙ୍କ ମଧ୍ୟରେ ତିନି ରାଜନୈତିକ ଦଳର ଛାତ୍ରନେତା ରହିଛନ୍ତି। ଯେଉଁମାନେ କି ବର୍ଷ ବର୍ଷ ଧରି ହଷ୍ଟେଲ୍‌ ରୁମ୍‌ଗୁଡ଼ିକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏକ ନମ୍ବର ଛାତ୍ରାବାସର ୨୪ଟି, ଦୁଇ ନମ୍ବର ଛାତ୍ରାବାସର ୩୬ଟି ଓ ତିନି ନମ୍ବର ଛାତ୍ରାବାସର ଶତାଧିକ ରୁମ୍‌ ଏବେ ଅଣଛାତ୍ରଙ୍କ କବ୍‌ଜାରେ ରହିଛି। ରୁମ୍‌ ଭଡ଼ାରେ ଦେଇ ସେମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଶିକ୍ଷାବର୍ଷ ଅଧାରୁ ଯଦି ଅଣଛାତ୍ରଙ୍କୁ କଢ଼ାଯାଏ ତେବେ ସେମାନଙ୍କ ବେପାର ଠପ୍‌ ହୋଇଯିବ। ରୁମ୍‌ ଭଡ଼ାରେ ଦେଇ ଯେଉଁ ଟଙ୍କା ରୋଜଗାର କରିଛନ୍ତି ତାହା ଚାଲିଯିବାର ଭୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ସେମାନେ ହଷ୍ଟେଲ୍‌ ରୁମ୍‌ ଛାଡ଼ିବାକୁ ଚାହୁ ନ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ