
ଭୁବନେଶ୍ଵର: ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ୟ୍ୟାୟର ଆଜି ହେଉଛି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇବା ସହ ସ୍ଵାସ୍ଥ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରାଯାଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ ଏସ୍ସିବି ଟ୍ରମା କେୟାର ସେଣ୍ଟରର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଓ ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ୟ୍ୟ ସମୟରେ ସ୍ପ୍ରିଙ୍କଲର ସମୟରେ କାମ ନକରିବାରୁ ଅଗ୍ନି ନିର୍ବାପନ କାର୍ୟ୍ୟ ବିଳମ୍ବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।



