ଓଡ଼ିଶାରୁ ପ୍ରଥମ ଥର ୪୦ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ଉଠାଇବ ଭାରତୀୟ ଖାଦ୍ୟ ନିଗମ, ପ୍ରଥମ ପର୍ଯ୍ୟାୟରେ ଉଠିଲା ୨୬୪୨ ମେଟ୍ରିକ ଟନ୍‌

ଭୁବନେଶ୍ୱର,20/08: ଓଡିଶାରେ ଉତ୍ପାଦିତ ମାଣ୍ଡିଆର ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି । ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ କରିଥିଲା । ରାଜ୍ୟରେ ଉପଲବ୍ଧ ମାଣ୍ଡିଆର ପୁଷ୍ଟି ଓ ଖାଦ୍ୟ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏଫ୍‌ସିଆଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଖାଦ୍ୟ ନିଗମ କେନ୍ଦ୍ରୀୟ ପୁଲ ଆଧାରରେ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ଉଠାଇବ । ଯାହା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ । ଉକ୍ତ ୪୦ ହଜାର ମେଟ୍ରିକ ଟନ ମଧ୍ୟରୁ ୧୬ ହଜାର ୮୦୦ ମେଟ୍ରିକ ଟନ ନେବା ପାଇଁ ଆନ୍ଧ୍ରପ୍ରଦେଶ ଇଛାବ୍ୟକ୍ତ କରିଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୬୪୨ ମେଟ୍ରିକ ଟନ ଏଫସିଆଇ ମାଧ୍ୟମରେ ଉଠାଣ ହୋଇଛି । ଉକ୍ତ ମାଣ୍ଡିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଉଠାଣ ହୋଇଛି । ପର୍ଯ୍ୟାୟ କ୍ରମେ ଲକ୍ଷ୍ୟ ଧାର୍ଯ୍ୟ ଥିବା ବାକି ମାଣ୍ଡିଆ ମଧ୍ୟ ଉଠାଣ ହେବ । ଏହା କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମର ମିଳିତ ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।
ସୂଚନାଯୋଗ୍ୟ, ୨୦୨୪-୨୫ ଖରିଫ୍‌ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ଏହି ସଂଗୃହୀତ ମାଣ୍ଡିଆ ମଧ୍ୟରୁ ୪୦ ହଜାର ମେଟ୍ରିକ୍‌ ଟନ୍‌ ଉଠାଣ ପାଇଁ ଏଫ୍‌ସିଆଇ ରାଜି ହୋଇଥିଲା । ଏହି ମର୍ମରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ୍‌ ଟନ୍‌ ମାଣ୍ଡିଆ ଉଠାଣ କରାଯାଇଛି । ଭାରତ ସରକାର ୨୦୨୩ ମସିହାକୁ ମାଣ୍ଡିଆ ଆନ୍ତର୍ଜାତିକ ବର୍ଷ ଭାବେ ଘୋଷଣା କରିବା ସହ ଏହାର ଉତ୍ପାଦନ ଓ ପୋଷଣଯୁକ୍ତ ଖାଦ୍ୟ ଭାବେ ଜନାଦୃତି ପାଇଁ ମଧ୍ୟ ଅଭିଯାନ ଜାରି ରଖିଛନ୍ତି । ସେହିଭଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଏକ ଉଚ୍ଚ ଗୁଣବତ୍ତା ଖାଦ୍ୟ ଭାବେ ଘୋଷଣା କରିବା ସହ ଲୋକ ମାନଙ୍କୁ ମାଣ୍ଡିଆ ଭଳି ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅନୁରୂପ ଭାବେ ଓଡ଼ିଶା ସରକାର ମଧ୍ୟ ଅଧିକ ପୁଷ୍ଟି ଓ ଗୁଣବତ୍ତାସଂପନ୍ନ ମାଣ୍ଡିଆ ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦ୍‌ବ୍ୟତୀତ ଫସଲ ବିବିଧିକରଣ ପାଇଁ ଅଧିକରୁ ଅଧିକ ମାଣ୍ଡିଆ ଚାଷ ଉପରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଏହାଦ୍ୱାରା କୃଷକ ମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବା ସହ ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟ ହାସଲରେ ଏହା ସହାୟକ ହେବ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ