ଓଡ଼ିଶାରେ ‘ପ୍ରୋଫେସନାଲ ଟ୍ୟାକ୍ସ’ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ପ୍ରଚଳିତ ଏହି ଟ୍ୟାକ୍ସକୁ ମୋହନ ସରକାର ବିଧିବଦ୍ଧ ଭାବେ ଉଚ୍ଛେଦ କରିଛନ୍ତି । ସମ୍ବିଧାନର ଧାରା 213(1)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟପାଳ ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଏହି ପ୍ରଫେସନାଲ ଟ୍ୟାକ୍ସକୁ ଉଚ୍ଛେଦ କରିଛନ୍ତି । ଏପ୍ରିଲ 21 ତାରିଖରେ ‘ଓଡ଼ିଶା ରାଜ୍ୟ ପ୍ରଫେସନାଲ ଟ୍ୟାକ୍ସ (ଉଚ୍ଛେଦ) ଅଧ୍ୟାଦେଶ – 2026’ ଗେଜେଟ ବିଜ୍ଞପ୍ତି ଆକାରରେ ପ୍ରକାଶିତ ହୋଇଛି ।
ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶା ବିଧାନସଭାର ଅଧିବେଶନ ଏବେ ଚାଲୁ ନଥିବାରୁ, ଭାରତୀୟ ସମ୍ବିଧାନର ଧାରା 213 (1) ଅନୁଯାୟୀ ମିଳିଥିବା କ୍ଷମତା ପ୍ରୟୋଗ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ନୂଆ ନିୟମ 2026 ଏପ୍ରିଲ 1 ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଅର୍ଥାତ ଚଳିତ ଆର୍ଥକ ବର୍ଷର ଆରମ୍ଭରୁ ହିଁ ପ୍ରଫେସନାଲ ଟ୍ୟାକ୍ସ ବା ବୃତ୍ତି କର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ‘ଓଡ଼ିଶା ବୃତ୍ତି, ବ୍ୟାପାର, ଜୀବିକା ଓ ନିଯୁକ୍ତି ଉପରେ ଟିକସ’ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । 2000 ମସିହାରୁ ପ୍ରଚଳିତ ଓଡ଼ିଶା ଆକ୍ଟ 7 ଅନୁଯାୟୀ ଏହି ଟିକସ ଆଦାୟ କରାଯାଉଥିଲା । ଯାହାକୁ ଏବେ ସମ୍ପୂର୍ଣ୍ଣ ରଦ୍ଦ କରିଦିଆଯାଇଛି । ରାଜ୍ୟର ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଉପରୁ ଆର୍ଥକ ବୋଝ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ଅଧ୍ୟାଦେଶକୁ ଭିତ୍ତି କରି ରାଜ୍ୟ ଅର୍ଥ ବିଭାଗ ମଧ୍ୟ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି 2026 ଏପ୍ରିଲ ମାସରୁ କୌଣସି କର୍ମଚାରୀଙ୍କ ଦରମାରୁ ବୃତ୍ତି କର ବାବଦକୁ ଅର୍ଥ କଟାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ସମସ୍ତ ଡିଡିଓମାନଙ୍କୁ ଅର୍ଥ ବିଭାଗର ଅତିରିକ୍ତ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇନକୁ ରଦ୍ଦ କରାଯାଇଥିଲେ ମଧ୍ୟ ଏପ୍ରିଲ ପହିଲା ପୂର୍ବରୁ ଥିବା ସମସ୍ତ କାର୍ଯ୍ୟକଳାପ ପାଇଁ ପୁରୁଣା ନିୟମ ବଳବତ୍ତର ରହିବ । ପୂର୍ବରୁ ଦିଆଯାଇଥିବା ଆଦେଶ, ଦାଖଲ ହୋଇଥିବା ରିଟର୍ଣ୍ଣ, ଜାରି କରାଯାଇଥିବା ନୋଟିସ ଓ ବାକି ପଡ଼ିଥିବା ଟିକସ ଆଦାୟ ପ୍ରକ୍ରିୟା ପୂର୍ବ ପରି ଜାରି ରହିବ । ସେହିଭଳି ଯଦି କୌଣସି ଆଇନଗତ ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଆରମ୍ଭ ହୋଇଥାଏ, ତେବେ ତାହା ରଦ୍ଦ ହେବ ନାହିଁ । ବରଂ ଆଇନ ଅନୁଯାୟୀ ତାହାର ସମାଧାନ କରାଯିବ । ଏହି ନିଷ୍ପତ୍ତି ଯୋଗୁ ରାଜ୍ୟର ହଜାର ହଜାର ଚାକିରିଆ ଓ ବ୍ୟବସାୟୀମାନେ ଉପକୃତ ହେବେ ।

  • Related Posts

    ଯୁବତୀଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲା ଦୁବୃର୍ତ୍ତ

    ଢେଙ୍କାନାଳ:ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ। ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।…

    Continue reading
    ମିଳିଲା ଦନ୍ତା ହାତୀର ମୃତଦେହ

    ବଲାଙ୍ଗୀର :ପୁଣି ଆସିଲା ହାତୀ ମୃତ୍ୟୁ ଖବର। ବଲାଙ୍ଗୀର ମୁରିବାହାଲ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ। ଅନେକ ଦିନ ଧରି ହାତୀପଲ ମୁରିବାହାଲର ରେଞ୍ଜର ବିଭିନ୍ନ ଗାଁରେ ଉପଦ୍ରବ କରୁଥିଲେ। ହେଲେ ଆଜି ସକାଳୁ ଚାନୁଟମାଲ ଗାଁ ନିକଟରେ ଥିବା ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା