
ଭୁବନେଶ୍ୱର : ବିଜେପି ସରକାରରେ ଦୁର୍ନୀତି ମାଡିଗଲାଣି। ଓଡିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଓଡିଆ ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। କିଛି ଦିନ ପୂର୍ବେ ହୋଇଥିବା ଆଗ୍ନିକ ଏବଂ ପୁଲିସ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଛି। ଏଥିରୁ ଗୁଜରାଟ କମ୍ପାନୀ କୋଟି କୋଟି ଟଙ୍କା ଆଦାୟ କରିଛି। ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ। ଗତକାଲି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାହୁ କହିଛନ୍ତି ଯେ କିଛି ଦିନ ପୂର୍ବେ ରାଜ୍ୟ ସରକାର ୯୪୧ ଆଗ୍ନିକ ଏବଂ ୪୯୫ ସବ୍-ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେଇଥିଲେ। ପୁଲିସ ରିକ୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ପରୀକ୍ଷା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା।କେନ୍ଦ୍ର ସରକାରଙ୍କର ଆଇଟିଆଇ ଲିମିଟେଡ୍ ଏହି ଟେଣ୍ଡର ପାଇଥିଲା; ହେଲେ ପରେ ଦେଖାଗଲା ଯେ ଗୁଜରାଟ ବରୋଦା ସ୍ଥିତ ରିଚ୍ ମାଇଣ୍ଡ କମ୍ପାନୀ ଏହି କାମ ନେଇଛି। କାହା ଚାପରେ ଗୁଜରାଟର କମ୍ପାନୀ ରିଚ୍ ମାଇଣ୍ଡକୁ ଏହି କାମ ହସ୍ତାନ୍ତର କରାଗଲା? ଏହି କମ୍ପାନୀ କୋଟି କୋଟି ଟଙ୍କା ଆଦାୟ କରିଛି। ବଡ଼ କଥା ହେଲା ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ପରିଚାଳନାରେ ଅନେକ ଅନିୟମିତତା ରହିଛି। ବଜାରରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହା ପଛରେ କୋଟି କୋଟି ଟଙ୍କାର ସ୍କାମ୍ ରହିଛି।
ବର୍ତ୍ତମାନ ଏହି ଅଭିଯୋଗ ନେଇ ପରୀକ୍ଷା ଜାଲିଆତିର ଶିକାର ହୋଇଥିବା ପ୍ରାର୍ଥୀମାନେ ଅଦାଲତ ଯିବାକୁ ବାହାରିଲେଣି। ସରକାର ପ୍ରକୃତରେ ଓଡିଶାର ପିଲାମାନଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି ନା ଗୁଜରାଟ କମ୍ପାନୀର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବା ଆବଶ୍ୟକ। ସରକାର ଏତେ ବଡ଼ ସମ୍ବେଦନଶୀଳ ମାମଲାରେ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏହାର ବିଧିବଦ୍ଧ ତଦନ୍ତ କରାନ୍ତୁ ଏବଂ ଯଦି ଦୁଇ କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତା ହେଲେ ସେମାନଙ୍କୁ କାଳାତାଲିକାଭୁକ୍ତ କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଥିଲେ। ଯଦି ଏଥିରେ ସରକାର ବିଫଳ ହୁଅନ୍ତୁି ତା ହେଲେ ରାଜ୍ୟବାସୀ ଉଚିତ ବିଚାର କରିବେ ବୋଲି ସେ କହିଛନ୍ତି ।




