
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଗତକାଲି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ତେବେ ଏହି ନିର୍ବାଚନରେ ବିଜେଡିର କମନ କ୍ୟାଣ୍ଡିଡେଟ ଡା. ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ କରିଛି । ତେବେ ସମଦୂରତା କଥା କହୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ କେମିତି କଂଗ୍ରେସ ସହ ଡିଲ କଲେ ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ଏହାରି ଭିତରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ ହୋଇଛି । କଂଗ୍ରେସ ଏକାକୀ ପ୍ରାର୍ଥୀ ନେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ । ସୀମିତ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି ବୋଲି ସଂତୃପ୍ତ ମିଶ୍ର କହିଛନ୍ତି ।
ପ୍ରକାଶ ଯେ କ୍ଷମତା ଗଲା ପରେ ନବୀନ ଭୁଲି ଗଲେ ସମଦୂରତା ନୀତି । କଂଗ୍ରେସ ସହ ହାତ ମିଶାଇ ନବୀନ ଭାଙ୍ଗି ଦେଲେ ଦୀର୍ଘ ବର୍ଷର ବ୍ରତ । ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଲା ଏକ ରୋଚକ ଦୃଶ୍ୟ । ରାଜ୍ୟସଭା ପାଇଁ ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ । ଗତ ୨୫ ବର୍ଷ ଧରି ଯାହା କେବେ ଦେଖାନଥିଲା କି ଚିନ୍ତା ବି କରାଯାଇ ନଥିଲା ଆଜି ସେ ଦୃଶ୍ୟକୁ ସମସ୍ତେ ଦେଖିଲେ । ଏହାକୁ ନେଇ ନବୀନ ପଟନାୟକ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେବ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ଦୁଇଦଳ । ଏଥିପାଇଁ ଏଆଇସିସିର ବି ମୋହର ବାଜିଛି । ବିଜେପି କହିଛି ବିଜେଡ଼ି ଓ କଂଗ୍ରେସ ପୂର୍ବରୁ ମିଶିକି ଅଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ ।




