
ଭୁବନେଶ୍ୱର:ସିଲଭର ସିଟି କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁଲିସ ଆଜି ଘରେ ଘରେ ଯାଞ୍ଚ କରୁଛି । ହାତୀପୋଖରୀ ଅଞ୍ଚଳରେ କମିସନରେଟ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଯେଉଁଥିପାଇଁ ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପ ପୁଲିସ ଫୋର୍ସ ମୁତୟନ କରାଯାଇଛି । କେନ୍ଦ୍ରୀୟ ଫୋର୍ସ ସହ ଘର ଘର ବୁଲି କମିଶନରେଟ ପୁଲିସ ଯାଞ୍ଚ କରୁଛି ।
ଦରଘାବଜାର ଅଞ୍ଚଳରେ ଭସାଣି ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଗଣ୍ଡଗୋଳ, ଢେଲାମାଡ଼, ଗୋଷ୍ଠୀ ସଂଘର୍ଷ ଓ ଉତ୍ତେଜନାକୁ କେନ୍ଦ୍ର କରି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସକାଳୁ ସନ୍ଧ୍ୟା ଯାଏ ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ସମର୍ଥନରେ ବିଶ୍ୱହିନ୍ଦୁ ପରିଷଦର କଟକ ମହାନଗର ସଂଗଠନ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଏକ ମୋଟର ସାଇକେଲ୍ ରାଲି କରାଯିବା ନେଇ ଆହ୍ୱାନ ଦିଆଯାଇଥିଲା । ଏହି ରାଲି ବିଦ୍ୟାଧରପୁର ଠାରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ, ଓଏମ୍ପି, କଲେଜଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ପାଖରୁ ବୁଲି ହରିପୁର ଦୋଳମୁଣ୍ଡାଇ ଦେଇ ଦରଘାବଜାର ଅଭିମୁଖେ ଯାଇଥିଲା । ପୁଲିସ୍ ପୂର୍ବରୁ ଆନ୍ଦୋଳନକାରୀଙ୍କୁ ନ ଅଟକାଇ ଦରଘାବଜାର ପର୍ୟ୍ୟନ୍ତ ଆସିବାକୁ ସୁଯୋଗ ଦେଇଥିଲା । ଦରଘାବଜାର ନିକଟରେ ଆନ୍ଦୋଳନକାରୀମାନେ ପହଞ୍ଚିବା ପରେ ଦରଘାବଜାର ଥାନା ସାମ୍ନାରେ ହୋହଲ୍ଲା କରିଥିଲେ । ଭସାଣି ରାତିରେ ଠିକ୍ ଏହି ସ୍ଥାନରେ ଉତ୍ତେଜନା, ମାର୍ପିଟ୍ ହୋଇଥିବାବେଳେ ରବିବାର ଏଠାରେ ପୁଲିସ୍ ସହ ସାମ୍ନାସାମ୍ନି ହୋଇଥିଲେ ଆନ୍ଦୋଳନକାରୀ । ପୁଲିସ୍ ଉପରେ ଆକ୍ରମଣ କରାଯିବା ପରେ ପୁଲିସ୍ ପାଲଟା ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କୁ ତଡ଼ିଥିଲା । ଲୁହବୁହା ବାଷ୍ପ ବି ମାରିଥିଲା । ପରେ ଏଠାକାର ସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଆନ୍ଦୋଳନକାରୀ ମାନେ ଛିନ୍ଛତ୍ର ହୋଇ ବିଭିନ୍ନ ଗଳିକନ୍ଦିରେ ପ୍ରବେଶ କରି ନାରାବାଜି ଦେବା ଆରମ୍ଭ କରିଥିଲେ । ପରେ ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା । ଗୌରୀଶଙ୍କର ପାର୍କ ନିକଟରେ କିଛି ଉଠା ଦୋକାନୀଙ୍କ ଠେଲା ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା ।ଅନ୍ୟପକ୍ଷରେ ଆନ୍ଦୋଳନକାରୀ-ପୁଲିସ୍ ସଂଘର୍ଷ ଯୋଗୁଁ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଗୁରୁତର ଆହତ ହୋଇଥିଲେ । । ଆଉ ଏହା ପରେ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ପ୍ରଥମେ ୨୪ ଘଣ୍ଟା ଓ ପରେ ପୁଣି ଥରେ ଇଣ୍ଟରନେଟ ସେବା ବନ୍ଦ ବୃଦ୍ଧି କରାଯାଇଥିଲା।ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ ବଳବତ୍ତର ରଖାଯାଇଥିଲା ।




