କଳାଧନର କୁବେର ଇଡକୋର ଜୁନିୟର  ମ୍ୟାନେଜର

ଭୁବନେଶ୍ୱର : ଇଡକୋର ଜୁନିୟର  ମ୍ୟାନେଜର ବିଜୟ କୁମାର ଉଦୟସିଂହ  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  କଳାଧନର କୁବେର ବାବୁ ବିଜୟ ବୁଧବାର  ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ତାଙ୍କ ଅଫିସ୍‌,  ଖୋର୍ଦ୍ଧା ଜଙ୍କିଆରେ ଥିବା ପୈତୃକ ଘର,  ପୁରୀରେ ଫ୍ଲାଟ୍‌, ଭୁବନେଶ୍ୱର ଆର୍ୟ୍ୟବିହାର  ଘର ସହ ମୋଟ ୬ଟି ଜାଗାରେ ଚଢ଼ଉ  କରିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ ୧୦  କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର  ସମ୍ପତ୍ତି ଠାବ ହୋଇଛି । ବିଜୟଙ୍କୁ ଭିଜିଲାନ୍ସ  ଥାନାରେ ଅଟକ ରଖାଯାଇଛି । ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି ।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ  ରହିଛି ଭୁବନେଶ୍ୱର ରାଜାରାଣୀ ମଉଜା ପ୍ଲଟ୍‌  ନମ୍ବର ୫୦୪ରେ ୪ ମହଲା ଘର । ଯାହା  ୭୫୦୦ ବର୍ଗଫୁଟ୍‌ରେ ଠିଆ ହୋଇଛି । ଘରର ସରକାରୀ ମୂଲ୍ୟ ୩.୨୨ କୋଟି ଟଙ୍କା । ଘରେ  ଝଲସୁଛି ଇମ୍ପୋର୍ଟେଡ୍‌ ବିଦେଶୀ ଇଣ୍ଟରିୟର ।  ଏହି ଘରର ସମସ୍ତ ଦ୍ୱାରରେ ସେନ୍ସର  ଲାଗିଛି । ଖଟ, ସୋଫା, କବାଟ, ଝରକା ଓ  ଆଲମାରୀଗୁଡିକ ଶାଳ କାଠରେ ହୋଇଛି ।  ଘରେ ଲାଗିଥିବା ଝୁମର ଥାଇଲାଣ୍ଡରୁ ଆସିଛି ।  ପାଇଖାନାରେ ବି ସେନ୍ସର ଲାଗିଛି । ସବୁଠାରୁ  ଆଶ୍ଚର୍ୟ୍ୟ କଥା ହେଲା ବାବୁ ଗାଧୋଇବା ପାଇଁ  ବି ମିନେରାଲ୍‌ ୱାଟର ବ୍ୟବହାର କରନ୍ତି ।  ଡ୍ରଇଂ ରୁମ୍‌ଠାରୁ ଆରମ୍ଭ କରି ବେଡ୍‌ ରୁମ୍‌-ସବୁଠି ରହିଛି ସେନ୍ସର ଲକିଂ ବ୍ୟବସ୍ଥା । ଘରର  ଡିଜାଇନ ଆଖି ଖୋସିଲା ଭଳି ହୋଇଛି । ଗୋଟିଏ  ଗୋଟିଏ ଫ୍ୟାନ୍‌ର ମୂଲ୍ୟ ୨୦ ହଜାରରୁ ଅଧିକ  ଟଙ୍କା । ପାଇଖାନାରେ ବି ବାବୁ ଏସି ଲଗାଇଛନ୍ତି ।
ତା’ଛଡ଼ା ପୁରୀ ଜିଲ୍ଲାର ବାଲୁଖଣ୍ଡ  ମୌଜାରେ ଏକ ଫ୍ଲାଟ ମିଳିଛି । ଭୁବନେଶ୍ୱର ଓ  ଖୋର୍ଦ୍ଧାର ପ୍ରମୁଖ ଅଞ୍ଚଳରେ ୩ଟି ପ୍ଲଟ୍‌ ଅଛି। ଯାହାର ମୂଲ୍ୟ ପାଖାପାଖି ୪ କୋଟି ହେବ  ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି । ବିଜୟଙ୍କ  ବ୍ୟାଙ୍କ ଜମା ଓ ବୀମା ୫୫ ଲକ୍ଷ ୧୦ ହଜାର  ଟଙ୍କା ଠାବ ହୋଇଛି । ତାଙ୍କ ଘରୁ ନଗଦ ୪  ଲକ୍ଷ ୫୦ ହଜାର ଜବତ ମଧ୍ୟ କରାଯାଇଛି ।  ସେହିପରି ତାଙ୍କର ଗୋଟିଏ ଚାରିଚକିଆ ଏବଂ  ୩ଟି ଦୁଇଚକିଆ ଗାଡ଼ି ରହିଛି । ୨୯ ଲକ୍ଷ  ଟଙ୍କା ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ  କରାଯାଇଛି । ବାବୁଙ୍କ ପାସ୍‌ପୋର୍ଟ ଦେଖି  ଭିଜିଲାନ୍ସ ତାଜୁବ ହୋଇଛି । ବିଦେଶ ଖର୍ଚ୍ଚର  ହିସାବ ହୋଇ ନାହିଁ । ୫୦ ଲକ୍ଷରୁ ଅଧିକ  ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି । କିଛି ମହିଳାଙ୍କ ନାଁରେ ବେନାମୀ ସମ୍ପତ୍ତି ଠାବ  ମଧ୍ୟ ହୋଇଛି । ସେ ମହିଳାମାନେ କିଏ ?  ତାଙ୍କ ସହ କ’ଣ ସମ୍ପର୍କ ତାର ଖୋଳତାଡ଼  ହେବ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ