ଦଶମନ୍ତପୁର,24/08: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଢ଼ା ପଞ୍ଚାୟତ ଅଧୀନସ୍ଥ ଓଡପୁର ଗୌଡ ସାହିରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଆଜି .କୋରାପୁଟ ଡାକ୍ତରଖାନାରେ ନଏନା ଗୌଡ(୫୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ପରେ ଗାଁରେ ଆତଙ୍କ ଖେଳି ଯାଇଥିବା ସରପଞ୍ଚ ମହେଶ୍ୱର ଗାଦବା କହିଛନ୍ତି। ଏହି ରୋଗରେ ସପ୍ତାହକ ମଧ୍ୟରେ ଜମବତୀ ଗୌଡ(୪୦), ମହେନ୍ଦ୍ର ଗୌଡ (୩୦), ରାଜେଶ ଗୌଡ (୩୭) ଓ ନଏନା ଗୌଡଙ୍କ ମୃତ୍ୟୁ ହୋଇଛି।
ସେହିପରି ତୁଳସୀ ଗୌଡ, ପାର୍ବତୀ ଗୌଡ, କମଳା ଗୌଡ, ହୀରାମଣି ଗୌଡ, ଗୋବିନ୍ଦ ଗୌଡ ଓ ଖଗପତି ଗୌଡ ଆକ୍ରାନ୍ତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଏହାସହ ଓଆରଏସ୍ ବଣ୍ଟନ କରିଛନ୍ତି। ଝାଡ଼ାବାନ୍ତି ରୋଗ ବ୍ୟାପିବାର କାରଣ ଜଣାପଡ଼ିନି। ଜିଲା ସ୍ବାସ୍ଥ୍ୟ ଦଳ ଗାଁରେ ପହଞ୍ଚି ରୋଗ ଚିହ୍ନଟ କରିବାକୁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୧, ୧୯୯୭ ଓ ୨୦୧୧ ମସିହାରେ ଝାଡ଼ାବାନ୍ତିରେ ଏହି ବ୍ଲକରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।



