
ଦେବଗଡ଼:ପୌରାଞ୍ଚଳର ଜଣେ ଗ୍ରାହକ ଆମାଜନ ସେଲର ସର୍ଭିସ ପ୍ରାଇଭେଟ ଲିମିଟେଡରୁ ଅର୍ଡର କରିଥବା ସାମଗ୍ରୀ ବଦଳରେ ଅନ୍ୟ ସାମଗ୍ରୀ ପ୍ରଦାନ କରିଥିଲା। ଯାହା ଫଳରେ ସେବା ପ୍ରଦାନରେ ଅବହେଳା କରିଥିବାରୁ ଦେବଗଡ ଖାଉଟି ଅଦାଲତ ଆମାଜନ ସେଲର ସର୍ଭିସକୁ ଦଣ୍ଡିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୌରାଚଂଳର ଗୁରୁସାହିର ଶ୍ୟାମ ସୁନ୍ଦର ଦ୍ବିବେଦୀ ୨୦.୦୧.୨୦୨୫ରେ ଆମାଜନ ସେଲର ସର୍ଭିସରୁ ୨୨,୦୯୦ ଟଙ୍କାର ସୋନି କମ୍ଫାନୀର ୱାରଲେସ ବ୍ଲୁଟୁଥ ଓଭରହେଡ ଇୟରଫୋନ ଅର୍ଡର କରିଥିଲେ।କିନ୍ତୁ ଅର୍ଡର କରିଥିବା ସାମଗ୍ରୀ ବଦଳରେ ତାଙ୍କୁ ଅନ୍ୟ ଏକ ପ୍ରଡକ୍ଟ ପଠାଯାଇଥିଲା।ସାମଗ୍ରୀ ପାଇବା ପରେ ସେ ତୁରନ୍ତ ଏ ସମ୍ପର୍କରେ ଆମାଜନ ସେଲର କମ୍ପାନୀକୁ ଜଣାଇଥିଲେ।ପରେ ଅଭିଯୋଗକାରୀ ପ୍ରଡକ୍ଟ ଫେରସ୍ତ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ।ଏହାସହିତ ଅନଲାଇନ୍ ପୋର୍ଟାଲରେ ଦେଖାଯାଇଥିବା ଅର୍ଡର କରାଯାଇଥିବା ପ୍ରଡକ୍ଟର ଫଟୋ ଏବଂ ତାଙ୍କୁ ମିଳିଥିବା ପ୍ରଡକ୍ଟର ଫଟୋ ଦାଖଲ କରି ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଏହାପରେ ବି କୌଣସି ସମାଧାନ ନ ହେବାରୁ ଶ୍ୟାମସୁନ୍ଦର ଜିଲ୍ଲା ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏନେଇ ଦେବଗଡ ଖାଉଟି ଅଦାଲତର ସଭାପତି ଉପାନନ୍ଦ ପୁରୋହିତ ଓ ସଦସ୍ୟ ପ୍ରଦୀପ ନାୟକ ଏହି ମାମଲାର ଶୁଣାଣି କରି ଆମାଜନ ସେଲର ସର୍ଭିସକୁ ଦୋଷୀ ସାବ୍ୟସ୍ତ କରିବା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।ଏହାସହିତ ସଂପୃକ୍ତ କମ୍ପାନୀକୁ ସଂପୂର୍ଣ୍ଣ ପ୍ରାପ୍ୟର ମୂଲ୍ୟ ପ୍ରଦାନ କରିବା ସହ କାର୍ଯ୍ୟରେ ଅବହେଳା ଏବଂ ଗ୍ରାହକଙ୍କୁ ମାନସିକ ଚାପଦେବା ଓ ହଇରାଣ କରିବା ଅଭିଯୋଗରେ ୧୦,୦୦୦ ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୫,୦୦୦ ଟଙ୍କା ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।








