
ପଟ୍ଟାଙ୍ଗୀ : ଘାଟୀରେ ୫୦ ଫୁଟ ତଳକୁ ଖସିଲା ଓଏସଆରଟିସି ବସ୍। ୨ ମୃତ ୨୦ରୁ ଉର୍ଦ୍ଧ୍ଵ ଗୁରୁତର। ଶୁକ୍ରବାର ରାତି ୩ଟା ବେଳେ କୋରାପୁଟ ସୁଙ୍କି ଘାଟୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଭବାନୀପାଟଣାରୁ ଏକ ଓଏସଆରଟିସି ବସ୍ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ କୋରାପୁଟ ସୁଙ୍କି ଘାଟୀର ଦ୍ଵିତୀୟ ବୁଲାଣିରେ ଏକ ଟ୍ରକକୁ ଧକ୍କା ଦେଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।




