
ଭୁବନେଶ୍ୱର: ନବୀନ ପଟ୍ଟନାୟକ କ୍ଷମତାରୁ ଯାଉଯାଉ ଖାଦ୍ୟ ସୁରକ୍ଷାରେ ଏକନମ୍ବର ରାଜ୍ୟରେ ପରିଣତ ଓଡ଼ିଶାରେ ରାଜୁତି କରିଛି ଭୋକ। ସୁନାମ ହରାଇ ଓଡ଼ିଶା ଏବେ ‘ଜାଉ’ ମୃତ୍ୟୁ ଅପବାଦର ଶିକାର ହୋଇଛି। ଦିନକ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ସିଧା ନିଶାଣ କରିଥିବା ବେଳେ ଆଜି ପୁଣି କ୍ଷୋଭ ପ୍ରକାଶ କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରୁ ଆଦିବାସୀମାନଙ୍କୁ ବଞ୍ଚିତ କରିବା ଅତ୍ୟନ୍ତ ଦୁଃଖଦାୟକ, ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ୍ବ ଟାକୁଆ ଖାଇ ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖର କଥା। ଦୁଇ ଦଶନ୍ଧୀ ତଳେ ଓଡିଶାରେ ଏପରି ଘଟଣା ଦେଖିବାକୁ ମିଳୁଥିଲା। ମାତ୍ର ସବୁଠାରୁ ବଡ଼ ଦୁଃଖଦାୟକ ହେଉଛି ମାଣ୍ଡିପଙ୍କା ଗ୍ରାମରେ ନିରୀହ ଆଦିବାସୀ ଭାଇଭଉଣୀମାନଙ୍କର ରାସନ ଚାଉଳ ଚାରି ମାସ ଧରି ବନ୍ଦ କରି ରଖିବା। ଚାଉଳ ନ ପାଇ ସେମାନେ ଆମ୍ବ ଟାକୁଆ ଯାଉ ଖାଇବା ପାଇଁ ବାଧ୍ୟ ହେଲେ ଓ ପରିଣତି ସ୍ୱରୂପ ଏପରି ଏକ ନିନ୍ଦନୀୟ ଘଟଣା ଘଟିଲା। ବିଜୁ ଜନତା ଦଳର ସରକାର ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଏନ୍ଏଫ୍ଏସ୍ଏ କାର୍ୟ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏତିକି ନୁହେଁ ଖାଦ୍ୟ ସୁରକ୍ଷା ଅଭିଯାନକୁ ଆହୁରି ବ୍ୟାପକ କରିବା ଲାଗି ଆମେ ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲୁ। ହେଲେ ଏକ ନମ୍ବର ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହେଉଥିବା ଓଡିଶାରେ ଏବେ ଏପରି ସ୍ଥିତିରେ ପହଞ୍ଚିବା ଦୁଃଖଦାୟକ ବୋଲି ନବୀନ କହିଛନ୍ତି ।




