
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କିଏ ଜିତିବ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି । ବାଣୀବିହାରରେ ଏଥର ତ୍ରିମୁଖୀ ଲଢ଼େଇ ହେବ ।ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନାମାଙ୍କନ କରିଥିଲେ ୪୨ ପ୍ରାର୍ଥୀ । କମ ଉପସ୍ଥାନ ଯୋଗୁଁ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଛି । ୪୧ ପ୍ରାର୍ଥୀପତ୍ରରୁ ୧୨ ପ୍ରତ୍ୟାହାର ହୋଇଛି । ଏବେ ନିର୍ବାଚନ ମଇଦାନକୁ ୨୯ଜଣ ଓହ୍ଲାଇଛନ୍ତି । ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ଉପସଭାପତି ଓ ଯୁଗ୍ମ ସାଧାରଣ ସମ୍ପାଦକ ପଦବିକୁ ଛାଡ଼ିଦେଲେ ବାକି ୭ଟି ପଦବି ପାଇଁ ତ୍ରିମୁଖୀ ଲଢ଼େଇ ହେବ । ସଭାପତି ପ୍ରାର୍ଥୀ ଭାବେ ଅଭିରାମ ମିଶ୍ର, ସୌରଭ ବେହେରା, ସୂର୍ଯ୍ୟନାରାୟଣ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବି ପାଇଁ ଆୟୁଶ୍ରୀ ପ୍ରଧାନ, ଦିବ୍ୟଦର୍ଶନ ଦାଶ, ସମ୍ବିତ ସୁମନ୍ ରଥଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।ସେହିପରି ଉପସଭାପତି ପଦବି ପାଇଁ ଅସିତ୍ ପ୍ରଧାନ, ନୈବେଦ୍ୟ ମହାନ୍ତି, ପପୁ ରାଉତ, ପୂଜାରାଣୀ ନାୟକ ରହିଛନ୍ତି । ଯୁଗ୍ମ ସାଧାରଣ ସମ୍ପାଦକ ପଦବି ପାଇଁ ଭୁବନେଶ୍ୱରୀ ତ୍ରିପାଠୀ, ଜ୍ୟୋତିଶ୍ରୀ ସାହୁ, ରାକେଶ ମହାପାତ୍ର, ସୋନମ ପଣ୍ଡା ରହିଛନ୍ତି । ସେହିପରି ସାଂସ୍କୃତିକ କ୍ଲବ୍ ସମ୍ପାଦକ ପଦବି ପାଇଁ ଅର୍ଚ୍ଚିତା ନାୟକ, ଶ୍ରୁତି ମହାପାତ୍ର, ଉତ୍ତମ କୁମାର ମାଝୀ ରହିଛନ୍ତି । କ୍ରୀଡ଼ା ସମ୍ପାଦକ ପଦବି ପାଇଁ ଜ୍ଞାନ ରଞ୍ଜନ ପରିଡ଼ା, ମାନସ ରଞ୍ଜନ ଜମାଦାର, ସଞ୍ଜୟ ସ୍ୱାଇଁ, ଆସିଷ୍ଟାଣ୍ଟ କ୍ରୀଡ଼ା ସମ୍ପାଦକ ପାଇଁ ନିଗମାନନ୍ଦ ପୋଇ, ସୁବ୍ରତ କୁମାର ଜେନା, ସୁସ୍ମିତା ସାହୁ ରହିଛନ୍ତି । ସେହିପରି ଏସ୍ଏସ୍ଜିରେ ମିଲନ କୁମାର ମେହେର, ରାଜଲକ୍ଷ୍ମୀ ମହାନ୍ତି, ଶୁଭ୍ରଜିତ୍ ପ୍ରଧାନ, ବାଣୀ ବିକାଶ ଏଡିଟର ପଦବି ପାଇଁ ଚନ୍ଦନ ପରିଡ଼ା, ଜୀବନଜ୍ୟୋତି ବିଶ୍ୱାଳ, ପ୍ରଜ୍ଞା ପାରମିତା ସାହୁ ପ୍ରମୁଖ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଶନିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ୮ବର୍ଷ ପରେ ନିର୍ବାଚନ ହେଉଥିବା ବେଳେ ସାମାଜିକ ଗଣମାଧ୍ୟମର ପ୍ରଭାବକୁ ନଜରରେ ରଖି ସୋସିଆଲ୍ ମିଡିଆ କ୍ୟାମ୍ପେନ୍କୁ ଜୋରଦାର କରାଯାଉଛି । କେବଳ ଏତିକି ନୁହେଁ ଆଜି ପ୍ରାର୍ଥୀମାନେ ହଷ୍ଟେଲ ପ୍ରଚାର କରୁଛନ୍ତି।କ୍ୟାମ୍ପସରେ ଭୋଜିଭାତ ଚାଲିଛି । ଏଆଇ ମାଧ୍ୟମରେ ପୁସିଂ କାର୍ଡ କରି ପିଲାଙ୍କୁ ପଠାଉଛନ୍ତି ।








