
ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ପଶ୍ଚିମରୁ ନେଇ ଆଭ୍ୟାନ୍ତରୀଣ ଓଡ଼ିଶା, ସବୁଠି ଶୀତର ଲହର । ସଞ୍ଜ ନଇଁବା ପରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ସକାଳ 9ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ପବନ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ବେଳେ ଆଜି ପାଇଁ 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ବୁଧବାର ରାତିର ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଫଳରେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଆଜି ଶୀତ ଲହରୀ ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ସହ କିଛି କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟାମାନ ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ପୂର୍ବାନୁମାନ କରିଛି ।ସେପଟେ ଆସନ୍ତାକାଲି ଠାରୁ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ମାତ୍ରା ଶୀତର ପ୍ରଭାବ ରହିବ । ବର୍ଷା ହେବାର ମଧ୍ୟ ସମ୍ଭାବନା ନାହିଁ । କିଛି ସ୍ଥାନରେ କୁହୁଡ଼ି ଦୃଶ୍ଯମାନ ହେବାକୁ ଥିବା ବେଳେ ସକାଳୁ ସତର୍କତାର ସହ ଗାଡ଼ି ଚଲାଇବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ସ୍ବାଭାବିକ ଠାରୁ 3 ଡିଗ୍ରୀ କମ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 4-5 ଡିଗ୍ରୀ କମ୍ ରହିଛି ।



