ଜୁଲାଇରେ ରେକର୍ଡ କଲା ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି । ଜୁଲାଇରେ ଭୁବନେଶ୍ୱର ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମାସରେ କେବଳ ଶହେରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତ ମୋଟ ୧୯୮ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠାବ କରିସାରିଲାଣି । ତେଣୁ ମଶା ବଂଶ ନିପାତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସାଙ୍ଗରେ କାନ୍ଧ ମିଳାଇ ଭୁବନେଶ୍ୱର ମହାନଗର ନିଗମ ଲାଗିପଡ଼ିଛି । ଏ ତ’ ଗଲା ଭୁବନେଶ୍ୱର ସହରାଞ୍ଚଳ ସ୍ଥିତି । ଯଦି ଖୋର୍ଦ୍ଧା ଜିଲ୍ଲା ଉପରେ ନଜର ଦେବା ତେବେ ସେଠାରେ ମଧ୍ୟ ସ୍ଥିତି ସଙ୍ଗୀନ । ଜିଲ୍ଲାର ୧୦ଟି ବ୍ଲକରେ ଏଯାବତ୍‌ ୬୬ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମିଶାଇ ମୋଟ ୨୬୪ ରୋଗୀ ଠାବ ହୋଇସାରିଛନ୍ତି । ପ୍ରତିଦିନ ପାଖାପାଖି ଦଶ ରୋଗୀ ବାହାରୁଛନ୍ତି । ତେଣୁ ସତର୍କତା ଜରୁରି ହୋଇପଡ଼ିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ମୋଟ ୨୨ହଜାର୮୫୨ଟି ମଶାବଂଶ (ହଟ୍‌ସ୍ପଟ୍‌) ମିଳିଛି । ସେଥିମଧ୍ୟରୁ ୨୨ହଜାର୮୨୨ ସ୍ଥାନକୁ ନଷ୍ଟ କରାଯାଇଛି । ସେହିପରି ୨ ଲକ୍ଷ ୪୯ହଜାର ୪୬୨ଟି ଜଳାଶୟ, କେନାଲ ଆଦିରେ ଆଣ୍ଟିଲାର୍ଭିସିଡ୍‌ ସିଞ୍ଚନ ହୋଇଛି । ଯେପରିକି ସେଠାରେ ମଶାବଂଶ ବୃଦ୍ଧି ନହେବ । ୧୧୩ଟି ସ୍କୁଲ ପରିସରରେ ମଧ୍ୟ ବିଶୋଧନ କରାଯାଇଥିବା ସୂଚନା ମିଳିଛି ।ଅପରପକ୍ଷେ, ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ୨.୦ ଅନ୍ତର୍ଗତ କାର୍ୟ୍ୟକ୍ରମ ‘ସଫାଇ ଅପ୍‌ନାଓ, ବିମାରୀ ଭଗାଓ’ ଭୁବନେଶ୍ୱରରେ ଜୋରସୋର୍‌ରେ ଚାଲିଛି । ଏହି କାର୍ୟ୍ୟକ୍ରମରେ ଡେଙ୍ଗୁ ନ ବ୍ୟାପିବା ଲାଗି ସହରରେ ସଫେଇ ତ୍ୱରାନ୍ୱିତ ହୋଇଛି । ସ୍ୱଚ୍ଛ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରୁଛନ୍ତି । ସେହିପରି ବିଭିନ୍ନ ଘର, ରାସ୍ତା, ମନ୍ଦିର ପାଖରେ ଥିବା ଫୁଲ କୁଣ୍ଡରୁ ଆବର୍ଜନା ପାଣି ନିଷ୍କାସନ କରାଯାଉଛି । ଏତେସବୁ ପରେ ବି ଡେଙ୍ଗୁ ବ୍ୟାପିବା ଚିନ୍ତାର କାରଣ ପାଲଟିଛି । ଉଲ୍ଲେଖଯୋଗ୍ୟ ଯେ ଡେଙ୍ଗୁ ରୋକିବାକୁ ସକ୍ରିୟ ଭାବେ କାମ କରୁଛି ସ୍ୱାସ୍ଥ୍ୟ ବିଭାଗ । ଏଥରକ ଭୁବନେଶ୍ୱରରେ ଥିବା ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ କରାଯାଉଛି । ସେହିପରି କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଏମ୍‌ଆର୍‌ସି, ପଟିଆ ଓ ଆଇଆରସି ଭିଲେଜ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ନମୁନା ସଂଗ୍ରହ ହେଉଛି । ସବୁଠି ଏଲିସା କିଟ୍‌ରେ ଡେଙ୍ଗୁ ପରୀକ୍ଷଣ କରାଯାଉଥିବା ବିଭାଗ ପକ୍ଷରୁ ସୂତନା ମିଳିଛି ।

  • Related Posts

    ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

    କଟକ: ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାକୁ ଆଉ ଦିନ କେଇଟା ପରେ ମାସେ ପୂରିବ । ଏହାରି ଭିତରେ ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍…

    Continue reading
    ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ

    ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଟିମର ସଦସ୍ୟମାନେ ମହାପ୍ରଭୁଙ୍କ ସକାଳ ଧୂପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ