
ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶ ସରକାର ଏକତରଫା ଭାବେ ପୋଲାଭରମ ପ୍ରକଳ୍ପର କ୍ଷମତା ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ନିର୍ଦ୍ଦେଶକୁ ବି ଆନ୍ଧ୍ର ଖାତିର କରୁନାହିଁ। ଓଡ଼ିଶାର ଶତାଧିକ ଗାଁ, ଚାଷ ଜମି, ଜଙ୍ଗଲ ଜଳାର୍ଣ୍ଣବ ହୋଇଯିବ। ଆନ୍ଧ୍ରର ମନମାନି ପାଇଁ ଓଡ଼ିଶାର ହଜାର ହଜାର ଲୋକ ବାସହରା ହେବେ, ଶହଶହ ଗାଁ ପାଣିତଳେ ବୁଡ଼ିଯିବ। ଏ ସମ୍ପର୍କରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଓ ବିଜେଡି ସାଂସଦମାନେ ବାରମ୍ବାର ଦାବି କରିଥିଲେ ସୁଦ୍ଧା ଏହାପ୍ରତି କେନ୍ଦ୍ର କର୍ଣ୍ଣପାତ କରିବା ବଦଳରେ ସ୍ୱତନ୍ତ୍ର ଅନୁଦାନ ଦେଇ ଆନ୍ଧ୍ର ସରକାରଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରିଛନ୍ତି। ତେଣୁ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟି ଦେଇ ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ କାର୍ୟ୍ୟରୁ ରୋକାଯାଉ ବୋଲି ଦିଲ୍ଲୀ ଦରବାରରେ ଦାବି ଉଠାଇଛି ବିଜୁ ଜନତା ଦଳ।
ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟର ବିଜେଡି ପ୍ରତିନିଧି ଓ ଦଳର ରାଜ୍ୟସଭା ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଜେଡି ପକ୍ଷରୁ ଶ୍ରୀ ପାଟିଲଙ୍କୁ ପ୍ରଦାନ କରାଯାଇଥିବା ଏକ ଦାବିପତ୍ରରେ କୁହାଯାଇଛି ଯେ ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବା ଆଶଙ୍କା ରହିଛି। ପ୍ରକଳ୍ପ ଆରମ୍ଭ ସମୟରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିଲା। ପରବର୍ତ୍ତୀ ସମୟରେ ଏକତରଫା ଭାବେ ଏହାର କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଛି। ଏହି ପ୍ରକଳ୍ପର କ୍ଷମତା ବଢ଼ାଇ ଦିଆଯିବା ପରେ ପ୍ରକଳ୍ପର ପଛୁଆ ପାଣି ଓଡିଶାର ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡିବ ତାହାର ଆକଳନ କରାଯାଇ ନାହିଁ।




