
ବଣାଇଁ: କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟି କୁନ୍ଦୁରୁବୁରୁ ନିକଟରେ ଅଘଟଣ । ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କେ ବଲାଙ୍ଗ ଥାନା ଅନ୍ତର୍ଗତ କୁନ୍ଦୁରୁବୁରୁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ କୋଇଡ଼ା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ବଣାଇଁ ପଟକୁ ଆସୁଥିବା ଏକ ଲୌହ ପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।
ଲୌହ ପଥର ବୋଝେଇ ଟ୍ରକ୍ ଚୁନା ଘାଟିରୁ ଓହ୍ଲାଉଥିବା ସମୟରେ ଗାଡ଼ିଟିର ବ୍ରେକ୍ ଫେଲ୍ ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକ୍ ଚାରି ଥାକିଆ ରାସ୍ତା ଡିଭାଇଡରକୁ ଡେଇଁ ଅପର ପାର୍ଶ୍ଵକୁ ଚାଲିଯାଇଥିଲା । ଅପର ପାର୍ଶ୍ଵରେ କୋଇଡ଼ା ପଟକୁ ଯାଉଥିବା କୋଇଲା ବୋଝେଇ ଟ୍ରକ୍ କୁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଁଞ୍ଚି ଦୀର୍ଘ ସମୟ ପରେ ଶବ ଉଦ୍ଧାର କରିଛନ୍ତି । କେ.ବଲାଙ୍ଗ ପୁଲିସ ତଦନ୍ତ ଜାରି ରଖିଛି । ମୃତ ଦୁଇ ଚାଳକ ମଧ୍ୟରେ ଜଣେ ବଡ଼ବିଲ୍ ଅଞ୍ଚଳର ଓ ଅନ୍ୟ ଜଣକ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ।




