
ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଇଁ ଆଥିଲା ରାଜ୍ୟସଭା ମତଦାନ ପ୍ରକ୍ରିୟା ନେଇ ପାଠଶାଳାର ପ୍ରଥମ ଦିନ । ପ୍ରଥମ ଦିନ ତାଲିମକୁ ୪୨ ଜଣ ଆସିଥିବାବେଳେ ଆସିଲେନି ୬ ବିଧାୟକ । ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳରେ କ୍ରସ ଭୋଟିଂ ଡର ଆହୁରି ବଢ଼ିଛି ।ସେପଟେ ବିଜେପି ନିଜ ବିଧାୟକଙ୍କୁ ଆସନ୍ତା ୧୬ ତାରିଖରେ ରାଜ୍ୟସଭା ଭୋଟ ଦିନ ବିଧାନସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି । ସୂତ୍ର ଅନୁସାରେ ବିଜେପି ମଧ୍ୟ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ରିସୋର୍ଟ ରାଜନୀତି ଆପଣାଇଛି । ପାରାଦୀପର ଏକ ତାରକା ହୋଟେଲରେ ପ୍ରାୟ ୧୦୦ ରୁମ୍ ବୁକ୍ ହୋଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦଳର ୩୦ ବିଧାୟକ ପାରାଦୀପରେ ପହଞ୍ଚି ସାରିଛନ୍ତି । ବାକି ବିଧାୟକମାନେ ରାତିରେ କିମ୍ବା ସକାଳ ସୁଦ୍ଧା ପହଞ୍ଚିବେ । ଯେଉଁ ବିଧାୟକ ଚାହିଁବେ, ନିଜ ପରିବାର ସହ ମଧ୍ୟ ଯାଇପାରିବେ । ଶନିବାର ବିଜେପି ବିଧାୟକଙ୍କୁ ରାଜ୍ୟସଭା ମତଦାନ ପଦ୍ଧତି, ନିୟମ ବାବଦରେ ତାଲିମ ଦିଆଯିବ । ଶନିବାର ମକ୍ ପୋଲ୍ ମଧ୍ୟ ହେବ । କିଏ କାହାକୁ ପ୍ରଥମ ପସନ୍ଦ ଓ କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ, ସେ ବାବଦରେ ସେମାନଙ୍କୁ ଜଣାଇ ଦିଆଯିବ । ବିଧାୟକମାନେ ପାରାଦୀପରୁ ସୋମବାର ସକାଳେ ସିଧା ବିଧାନସଭା ଆସିବେ ।
ମଙ୍ଗଳବାର ପର୍ୟ୍ୟନ୍ତ ବିଧାନସଭା ମୁଲତବୀ ରହିଲା । ମଝିରେ ଆଉ ଦୁଇଦିନ । ସୋମବାର ରାଜ୍ୟସଭାର ୪ ଆସନ ପାଇଁ ହେବ ମତଦାନ । ସବୁ ଦଳ, ୫ ପ୍ରାର୍ଥୀ ପୂରା ଦମ୍ ଲଗାଇ ଲାଗି ପଡ଼ିଛନ୍ତି । ବିଶେଷ କରି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ଘଡ଼ିକେ ଏଠି ଘୋଡ଼ା ଛୁଟୁଛି ।




