
ଭୁବନେଶ୍ୱର: ‘ଜାନୁଆରୀରୁ ପୋଲାଭରମ ପ୍ରକଳ୍ପ ବିରୋଧରେ ହେବ ଜୋରଦାର ଆନ୍ଦୋଳନ । ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେବ ଆନ୍ଦୋଳନ ।’ ମୁଁ ବି ଲଢ଼ିବି, ତୁମେ ବି ଶେଷ ଯାଏଁ ଲଢ଼ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।ପୋଲାଭରମ ପ୍ରକଳ୍ପ ବିରୋଧରେ ବିଜେଡି କରିବ ଜୋରଦାର ଆନ୍ଦୋଳନ । ପ୍ରକଳ୍ପକୁ ବିରୋଧ କରି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ବିଭିନ୍ନ କେନ୍ଦ୍ର ଅଧିକାରୀଙ୍କୁ ଭେଟିଥିଲେ । ବିଜେଡିର ଉକ୍ତ ପ୍ରତିନିଧି ମଣ୍ଡଳୀ ଶନିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ।ଏହି ରିପୋର୍ଟ ଅନୁଯାୟୀ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେବ । ଏନେଇ ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,”ବିଜେଡି ମାଲକାନଗିରି ଜିଲ୍ଲାର ସ୍ୱାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ ବୋଲି ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି । ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ଭେଟିଥିବା ଅଧିକାରୀମାନଙ୍କ ଠାରୁ ଉତ୍ତର ଆସିବା ପରେ ବିଜେଡି ତାର କାର୍ୟ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଛନ୍ତି ।”
ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନବୀନଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଖୁଣ୍ଟିଆ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝି, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର, ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।




