
ଭୁବନେଶ୍ବର : ‘ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ନିର୍ବାଚନରେ ହରାଇବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିପାଇଁ ତାଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି କ୍ଷମତାକୁ ଆସିଥିଲେ ଓ ନବୀନ ବାବୁ ନିର୍ବାଚନରେ ପରାସ୍ତ ହୋଇଥିଲେ ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତେ’ ବୋଲି ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବୁଲି ଦାସ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଲକ୍ଷ୍ମଣ ବାଗ ମାତ୍ର ୧୨୬ ଖଣ୍ଡ ଭୋଟରେ ହାରିଥିଲେ। କଣ୍ଟାବାଞ୍ଜିରେ ଯାଦବ ସମ୍ପ୍ରଦାୟର ୯୩ ହଜାର ଭୋଟର ଅଛନ୍ତି। ନବୀନ ବାବୁଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା। ଚକ୍ରାନ୍ତ କରି ତାଙ୍କୁ ଜାଣିଶୁଣି କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରାଯାଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି। ବିଜେଡିେର ତାଙ୍କ ପତ୍ନୀଙ୍କୁ ଉପେକ୍ଷା କରାଯିବାରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ୬ରେ ସେ ବିଜେପିରେ ସାମିଲ ହୋଇ ପଦ୍ମ ଧରିବେ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି।




